ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଲଜ୍ଜା । ଲିଫ୍ଟ ଦେବା ବାହାନାରେ ୧୭ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ । ଦୁଷ୍କର୍ମ କରିବା ପରେ ଗଛରେ ଟାଙ୍ଗି ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଲକ୍ଷ୍ନୌ ଜିଲ୍ଲାର ମୋହନଲାଲନଗଞ୍ଜ ଅଞ୍ଚଳରୁ ଏଭଳି ପାଶବିକତା ସାମ୍ନାକୁ ଆସିଛି । ଏଥିରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚାରଉଚରା କରୁଛି । ଗତ ସୋମବାର ଦିନ ଏହି ଲୋମହର୍ଷଣକାରୀ କାଣ୍ଡ ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି ।
ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ: ମୋହନଲାଲଗଞ୍ଜ ଅଞ୍ଚଳର ଏକ ଗାଁରେ ଜଣେ ଶ୍ରମିକ ନିଜର ୪ ଝିଅଙ୍କ ସହ ରୁହନ୍ତି । ୬ ମାସ ତଳୁ ତାଙ୍କ ସ୍ତ୍ରୀଙ୍କ ପରଲୋକ ହୋଇଯାଇଛି । ଗତ ରବିବାର ଦିନ ସନ୍ଧ୍ୟା ୫ଟାରେ ତାଙ୍କର ୧୭ ବର୍ଷୀୟ ଝିଅ ବଜାରକୁ ସଉଦା ଆଣିବାକୁ ଯାଇଥିଲେ । ସଉଦା କରି ଫେରୁଥିବା ବେଳେ ରାସ୍ତାରେ ଅନିଲ, ବିଶାଲ ଓ କରନ ନାମକ ୩ ଜଣ ଯୁବକ ନାବାଳିକାଙ୍କୁ ନିଜ ଗାଡିରେ ଘରେ ଛାଡିଦେବେ ବୋଲି କହି ଡାକିଥିଲେ । ଏହାପରେ ନାବାଳିକାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ହାତଗୋଡ ବାନ୍ଧି ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ସୋମବାର ଦିନ ରାତିରେ ପୀଡିତାଙ୍କୁ ଅଚେତ ଅବସ୍ଥାରେ ଗାଁ ନିକଟ ଗୋଟିଏ ଗଛରେ ଓଢଣୀ ସାହାଯ୍ୟରେ ଟାଙ୍ଗି ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ ।