ଲକ୍ଷ୍ନୌ: ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରଥମେ ଘନିଷ୍ଠ ବନ୍ଧୁତା ପରେ ପ୍ରେମରେ ବଦଳିଲା । ସେମାନେ ଉଭୟ ବିବାହ କରିବା ପାଇଁ ମନସ୍ଥ କଲେ । କେବଳ ମନସ୍ଥ କଲେ ନାହିଁ ବରଂ ଏମାନଙ୍କ ମଧ୍ୟରୁ ଜଣେ ଯୁବତୀ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କଲେ । ଏବେ ସେମାନେ ସ୍ଥାନୀୟ ଏସଡିଏମ କୋର୍ଟରେ ବିବାହ ପଞ୍ଜିକରଣ ପାଇଁ ଆବେଦନ ମଧ୍ୟ କରିଛନ୍ତି । ଘଟଣା କୋର୍ଟରେ ପହଞ୍ଚିବା ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ସରକାରୀ ଓକିଲଙ୍କ ଠାରୁ ଏସଡିଏମ ମତାମତ ଲୋଡିଛନ୍ତି । ଏହି ପରି ଏକ ଘଟଣା ଉତ୍ତର ପ୍ରଦେଶ ବରେଲୀରେ ଘଟିଛି ।
ସୂଚନା ଅନୁସାରେ, ବରେଲୀରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ଦୁଇ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ଉଭୟ ଉଭୟଙ୍କ ପ୍ରେମରେ ପଡିଥିଲେ । ପରେ ସେମାନେ ବିବାହ କରିବା ଓ ଏକାସାଙ୍ଗରେ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । କୁହାଯାଉଛି ଯେ ଜଣେ ଯୁବତୀ ବଦାୟୁଁରୁ ହୋଇଥିବା ବେଳେ ଅନ୍ୟଜଣେ ବରେଲୀର ବାସନ୍ଦା । ହେଲେ ସେମାନେ ବିବାହ କରିବା ପୂର୍ବରୁ ଜଣେ ଯୁବତୀ ଚିକିତ୍ସା ବିଜ୍ଞାନର ସହାୟତାରେ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । ଏବେ ସେମାନେ ସ୍ଥାନୀୟ କୋର୍ଟରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି ।