ଶ୍ରୀନଗର:ଗତବର୍ଷ କଂଗ୍ରେସରୁ ଇସ୍ତଫା ଦେଇ ନୂତନ ରାଜନୈତିକ ଦଳ ଗଠନ କରିଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଭାରତୀୟ ଜନତା ପାର୍ଟି ସହ ଯୋଗାଯୋଗ ଥିବା ଚର୍ଚ୍ଚା ଅନେକ ସମୟରେ ହୋଇଛି । ତେବେ ଏହି ବରିଷ୍ଠ ରାଜନେତା ଏବେ ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ ଭାବେ କେନ୍ଦ୍ର ଦ୍ବାରା ନିଯୁକ୍ତ ହେବାକୁ ଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ଏହାକୁ ସମୁଳେ ଖଣ୍ଡନ କରିଛନ୍ତି ଆଜାଦ । ଏହି ଚର୍ଚ୍ଚାକୁ ଏକ ଗୁଜବ କହିବା ସହ ଏଥିରେ ସତ୍ୟତା ନଥିବା କହିଛନ୍ତି ଆଜାଦ । ଆହୁରି ମଧ୍ୟ କହିଛନ୍ତି, ସେ କୌଣସି ନିଯୁକ୍ତି ଚାହାନ୍ତି ନାହିଁ ବରଂ ସେ କାଶ୍ମୀରବାସୀଙ୍କ ସେବା କରିବାକୁ ଉତ୍ସାହୀ ।
ଆଜି ଆଜାଦ ତାଙ୍କ ଡେମୋକ୍ରାଟିକ୍ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି)ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି । ‘‘ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । ଗୁଲାମ ନବୀ ଆଜାଦ ଜମ୍ମୁ କାଶ୍ମୀରର ପରବର୍ତ୍ତୀ ଉପରାଜ୍ୟପାଳ (ଏଲଜି) ହେବାକୁ ଯାଉଛନ୍ତି ବୋଲି ଯେଉଁ ଗୁଜବ ହେଉଛି ତାହା ନିରାଧାର । ମୁଁ ଚାକିରି ଖୋଜିବା ପାଇଁ ଆସିନାହିଁ, ବରଂ ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି ।’’