ପାଟନା:ନିଜ ସଂସ୍କୃତି ଭୁଲି ପାଶ୍ଚାତ୍ୟ ସଂସ୍କୃତି ଓ ଜୀବନଶୈଳୀକୁ ଅନୁସରଣ କରୁଛନ୍ତି ଆଜିର ଯୁବପିଢି । ଆଧୁନିକତାର ସହ ଏହାର ପ୍ରଭାବ ମଧ୍ୟ ଭାରତୀୟ ସମାଜରେ ପ୍ରାୟତଃ ଦେଖିବାକୁ ମିଳିଲାଣି । ମାତ୍ର ଭାରତୀୟ ପରମ୍ପରା ଦ୍ବାରା ଆକର୍ଷିତ ହେଉଛନ୍ତି ବିଦେଶୀ । ଆଜି ବିହାର ଗୟାରେ ସେପରି କିଛି ଘଟଣା ଦେଖିବାକୁ ମିଳିଛି । ଏବେ ଗୟାରେ ବିଶ୍ୱପ୍ରସିଦ୍ଧ ପିତୃପକ୍ଷ ମେଳା ଚାଲିଛି । ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ତୀର୍ଥଯାତ୍ରୀ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି । ତେବେ ଏହି ଭାରତୀୟ ପରମ୍ପରାରେ ନିଜକୁ ସାମିଲ କରିଛନ୍ତି ସୁଦୂର ଜର୍ମାନରୁ ଆସିଥିବା ଏକାଧିକ ମହିଳା । ସମ୍ପୂର୍ଣ୍ଣ ଭାରତୀୟ ପରମ୍ପରା ଅନୁସରଣ କରି ସେମାନେ ପିଣ୍ଡଦାନ କରିଛନ୍ତି । କେବଳ ଜର୍ମାନ ନୁହେଁ ଋଷ ଓ ୟୁକ୍ରେନରୁ ମଧ୍ୟ କିଛି ମହିଳା ଆଜି ଗୟାରେ ପିଣ୍ଡଦାନ କରିଥିବା ଦେଖିବାକୁ ମିଳିଛି ।
ଆଜି (ବୁଧବାର) ଗୟାର ଫାଲ୍ଗୁ ତଟରେ ଅବସ୍ଥିତ ଦେବଘାଟରେ ପ୍ରାୟ 12ରୁ ଅଧିକ ଜର୍ମାନୀ ମହିଳାଙ୍କ ସହ ଜଣେ ପୁରୁଷ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ସେମାନେ ସମ୍ପୂର୍ଣ୍ଣ ଭାରତୀୟ ପାରମ୍ପରିକ ପୋଷାକ ସହ ପିଣ୍ଡଦାନ ବିଧି ମୁତାବକ କର୍ମକାଣ୍ଡ କ୍ରିୟା ମଧ୍ୟ କରିଥିଲେ । ଭାରତୀୟ ଭାଷା, ବିଶ୍ବାସ ଓ ପରମ୍ପରାକୁ ସମ୍ପୂର୍ଣ୍ଣ ବୁଝି ପାରିନଥିଲେ ସୁଦ୍ଧା ସେମାନଙ୍କ ବିଶ୍ବାସ ଓ ଆସ୍ଥାର ଏହା ଏକ ପ୍ରତିଫଳନ ବୋଲି କୁହାଯାଉଛି ।
ତେବେ ଅନ୍ୟ ଏକ ସୂଚନା ଅନୁସାରେ, ସେମାନେ କେବଳ ଆସ୍ଥା ବିଶ୍ବାସରେ ଭାରତୀୟ ପରମ୍ପରାକୁ ଅନୁସରଣ କରୁଛନ୍ତି ତାହା ନୁହେଁ, ବରଂ ଏକାଧିକ ବିଦେଶୀ ଗବେଷକ, ଛାତ୍ରଛାତ୍ରୀ ମଧ୍ୟ ଏହା ଉପରେ ଅଧ୍ୟୟନ କରୁଛନ୍ତି । ଏହି ପ୍ରାଚୀନ ପରମ୍ପରା ମଧ୍ୟରେ ଥିବା ବିଶ୍ବାସ ଓ ତତ୍ତ୍ବ ସମ୍ପର୍କରେ ଜ୍ଞାନ ମଧ୍ୟ ଆରୋହଣ କରୁଛନ୍ତି । ଯାହା ତାଙ୍କୁ ଭାରତୀୟ ଜୀବନଶୈଳୀ, ଧାର୍ମିକ ବିଶ୍ବାସ ଓ ତତ୍ତ୍ବ ପ୍ରତି ଅଧିକ ଆକର୍ଷିତ କରୁଛି । ତାହାର ପ୍ରତିଫଳନ ଆଜି ଗୟାରେ ଦେଖିବାକୁ ମିଳିଛି ।