ବେଙ୍ଗାଲୁରୁ:ଭାରତରେ ପ୍ରଚଳିତ ଅନଲାଇନ ମନି ଟ୍ରାନଜାକ୍ସନ ସିଷ୍ଟମ ‘ୟୁନାଇଟେଡ ପେମେଣ୍ଟ ଇଣ୍ଟରଫେସ’ (UPI)କୁ ପ୍ରଶଂସା କରିଛନ୍ତି ଜର୍ମାନ ମନ୍ତ୍ରୀ । କେବଳ ପ୍ରଶଂସା କଲେ ନାହିଁ ବରଂ ନିଜେ ବ୍ୟବହାର କରି ବଜାରରେ ଜିନିଷ କିଣି ପେମେଣ୍ଟ ମଧ୍ୟ କଲେ । ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଥିବା ଜର୍ମାନର ଡିଜିଟାଲ ଓ ପରିବହନ ମନ୍ତ୍ରୀ ଭୋଲକର ଓ୍ବିଶିଂ ଆଜି ବେଙ୍ଗାଲୁରୁରେ UPIରେ ପେମେଣ୍ଟ କରି ଜିନିଷ କିଣିଛନ୍ତି । ଏହାର ସହଜ ବ୍ୟବହାର ଶୈଳୀରେ ସେ ଖୁସିବ୍ୟକ୍ତ କରିବା ସହ ଏହି ସିଷ୍ଟମକୁ ପ୍ରଶଂସା ମଧ୍ୟ କରିଛନ୍ତି । ଯାହାକୁ ନେଇ ଜର୍ମାନ ଦୂତାବାସ ଟ୍ବିଟ୍ ମଧ୍ୟ କରିଛି ।
ଏହି ସମୟରେ ଜର୍ମାନ ମନ୍ତ୍ରୀ ଭୋଲକର ଓ୍ବିଶିଂଙ୍କ ସହ ଦୂତାବାସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ବେଙ୍ଗାଲୁରୁର ଏକ ପରିବା ବଜାରରେ ପରିବା କିଣିବା ସହ UPIରେ ପେମେଣ୍ଟ ମଧ୍ୟ କରିଥିଲେ । ଏ ସମ୍ପର୍କରେ ଭାରତରେ ଅବସ୍ଥାପିତ ଜର୍ମାନ ଦୂତାବାସ ପକ୍ଷରୁ ଟ୍ବିଟ୍ ମଧ୍ୟ କରାଯାଇଛି । ପରିବା କିଣିବା ସମୟର ଏହି ଭିଡିଓ ଓ ଏକାଧିକ ଫଟୋ ପୋଷ୍ଟ କରି ବିଦେଶୀ ଦୂତାବାସ କହିଛି,"ଭାରତର ସଫଳତାର କାହାଣୀ ହେଉଛି ଡିଜିଟାଲ ଭିତ୍ତିଭୂମି । UPI ସମସ୍ତଙ୍କୁ ସେକେଣ୍ଡରେ ମନି ଟ୍ରାନଜାକ୍ସନ କରିବାକୁ ସମର୍ଥ କରିପାରିଛି । ଲକ୍ଷ ଲକ୍ଷ ଭାରତୀୟ ଏହାକୁ ଦୈନଦିନ ଜୀବନରେ ବ୍ୟବହାର କରୁଛନ୍ତି । ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଏହାକୁ ବ୍ୟବହାର କରି ଖୁସିବ୍ୟକ୍ତ କଲେ । ଏହା ବେଶ ସହଜ ମଧ୍ୟ ।"
ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି-20 ସମ୍ମିଳନୀର ଡିଜିଟାଲ ମନିଷ୍ଟର ମିଟ୍ସ ଦେଶର ଇଲୋକ୍ଟ୍ରୋନିକ୍ସ ରାଜଧାନୀ ବେଙ୍ଗାଲୁରୁରେ ଆୟୋଜିତ ହେଉଛି । ଏଥିରେ ଅଂଶଗ୍ରହଣ କରିବାକୁ ବେଙ୍ଗାଲୁରୁ ଆସିଛନ୍ତି ଜର୍ମାନର ଡିଜିଟାଲ ଓ ଟ୍ରାନ୍ସପୋର୍ଟ ମନ୍ତ୍ରୀ ଭୋଲକର ଓ୍ବିଶିଂ । ସେ ଆଜି ବେଙ୍ଗାଲୁରୁରେ ଏକ ହାଟ ପରିଦର୍ଶନ କରିଥିଲେ । ସେଠାରେ ବ୍ୟବସାୟୀଙ୍କ ସହ କଥା ହୋଇଥିଲେ । ପରିବା ମଧ୍ୟ କିଣିଥିଲେ । UPIରେ ପେମେଣ୍ଟ କରି ଭାରତ ସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ଭାରତର ଡିଜିଟାଲ ଅର୍ଥନୀତି, ଡିଜିଟାଲ ସାଧାରଣ ଭିତ୍ତିଭୂମି, ଡିଜିଟାଲ ଅର୍ଥନୀତିରେ ସୂଚନା ସୁରକ୍ଷା ଏବଂ ଡିଜିଟାଲ କୌଶଳ ପରି ନୀତିକୁ ଜି-20 ଦେଶ ତଥା ଅନ୍ୟାନ୍ୟ ଆମନ୍ତ୍ରିତ ଦେଶ ପ୍ରଶଂସା କରିଛନ୍ତି ।