ନୂଆଦିଲ୍ଲୀ: ହିନ୍ଦୀ ଲେଖିକା ଗ୍ରୀତାଞ୍ଜଳି ଶ୍ରୀ ହାତେଇଲେ ବଡ଼ ସଫଳତା । ସାହିତ୍ୟର ଓସ୍କାର ରୂପେ ବିବେଚନା କରାଯାଉଥିବା ଅନ୍ତର୍ଜାତୀୟ ବୁକର ପୁରସ୍କାର ସମ୍ମାନର ଅଧିକାରିଣୀ(Geetanjali Shree wins International Booker Prize) ହୋଇଛନ୍ତି ସେ । ଗୀତାଞ୍ଜଳିଙ୍କ ମୂଳ ଉପନ୍ୟାସ 'ରେତ କି ସମାଧି'ର ଇଂରାଜୀ ଅନୁବାଦ ଟମ୍ବ ଅଫ ସ୍ୟାଣ୍ଡ(Tomb of Sand)କୁ ମିଳିଲା ଅନ୍ତର୍ଜାତୀୟ ସମ୍ମାନ । ଏହାକୁ ଡେଜି ରକୱେଲ ଇଂରାଜୀରେ ଅନୁବାଦ କରିଥିବା ବେଳେ ବୁକର ଆୱାର୍ଡ ପାଇଁ ମନୋନୀତ ଥିବା ବିଶ୍ବର ୧୩ଟି ପୁସ୍ତକ ମଧ୍ୟରେ ସାମିଲ ଥିଲା । ହିନ୍ଦୀ ଭାଷାର ପୁସ୍ତକ ଭାବେ ଏହା ପ୍ରଥମ ଥର ପାଇଁ ପ୍ରତିଷ୍ଠିତ ସାହିତ୍ୟିକ ପୁରସ୍କାରରେ ସାମିଲ ଥିଲା ।
ଯେକୌଣସି ଭାରତୀୟ ଭାଷା ଭାବେ 'ଟମ୍ବ ଅଫ ସ୍ୟାଣ୍ଡ' ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବୁକର ପୁରସ୍କାର ଜିତିଛି । ଗୁରୁବାର ଲଣ୍ଡନରେ ଆୟୋଜିତ ଏକ ସମାରୋହରେ ଏହି ଆୱାର୍ଡକୁ ଗୀତାଞ୍ଜଳି ଗ୍ରହଣ କରିଥିବା ବେଳେ ଏହାରୁ ଇଂରାଜୀ ଅନୁବାଦିକା ଡେଜିଙ୍କ ସହିତ ସେୟାର କରିଛନ୍ତି । ଏହି ପୁରସ୍କାର ଘୋଷଣା ହେବା ପରେ ସେ ଆଚମ୍ବିତ ହୋଇଯାଇଥିବା କହିଛନ୍ତି । ଏହା ସହ ସେ ବ୍ରିଟିଶ ମୂଦ୍ରାରେ ୫୦ ହଜାର ଜିବିପି ଜିତିଛନ୍ତି । ଯାହାର ଭାରତୀୟ ମୂଦ୍ରାରେ ମୂଲ୍ୟ ୪୯ ଲକ୍ଷରୁ ଊର୍ଦ୍ଧ୍ବ ପୁରସ୍କାର ରାଶି ସେ ଜିତିଛନ୍ତି ।
- ବିଜୟିନୀ ପରେ ଆଶ୍ଚର୍ଯ୍ୟଚକିତ ଗୀତାଞ୍ଜଳିଶ୍ରୀ
ହିନ୍ଦୀ ଲେଖିକା ଗୀତାଞ୍ଜଳିଶ୍ରୀ ପୁରସ୍କାର ପାଇବା ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି । ଏହି ସମ୍ମାନକୁ ସେ ହାସଲ କରିବା ସମ୍ପର୍କରେ ସେ କେବେ ଭାବିନଥିଲେ ବୋଲି କହିଛନ୍ତି । ଏହା ତାଙ୍କ ପାଇଁ ବହୁତ ବଡ଼ କଥା ହୋଇଥିବା ବେଳେ ସେ ଆଶ୍ଚର୍ଯ୍ୟଚକିତ ସହିତ ଆନନ୍ଦିତ, ସମ୍ମାନିତ ଅନୁଭବ କରିଛନ୍ତି । ଏହି ପୁରସ୍କାର ତାଙ୍କୁ ଏକ ଭିନ୍ନ ସନ୍ତୁଷ୍ଟି ଦେଇଛି । ସେ ଆହୁରି କହିଛନ୍ତି ଯେ ରେତ ସମାଧି ବା ଟମ୍ବ ଅଫ ସ୍ୟାଣ୍ଡ ସେହି ଲୋକଙ୍କ ପାଇଁ ଏକ ଶୋକ କବିତା ଯେଉଁଠାରେ ଆମେ ବାସ କରୁଛୁ । ବୁକର ଆୱାର୍ଡ ଜିତିବା ପରେ ଏହା ନିଶ୍ଚିତ ଭାବେ ଅନେକ ଲୋକଙ୍କ ନିକଟରେ ପହଞ୍ଚିବ ।
ଏହି ପୁସ୍ତକ ପଛରେ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଭାଷାର ଏକ ସମୃଦ୍ଧ ଓ ସାହିତ୍ୟିକ ପରମ୍ପରା ଯୋଡ଼ି ହୋଇ ରହିଛି । ଏହି ପୁସ୍ତକରେ ବ୍ୟବହାର ହୋଇଥିବା ଶବ୍ଦ ଓ ଏହାର ଲେଖକଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିବେ । ଫଳରେ ବିଶ୍ବ ସାହିତ୍ୟ ଅଧିକ ସମୃଦ୍ଧ ହେବ । ଏପରି ବାର୍ତ୍ତାଳାପ ଦ୍ବାରା ଜୀବନର ଶବ୍ଦାବଳୀ ମଧ୍ୟ ବଢିବ । ଆମେରିକାର ବରମୋଣ୍ଟର ଜଣେ ଚିତ୍ରକାର, ଲେଖିକା ତଥା ଏହି ହିନ୍ଦୀ ଉପନ୍ୟାସର ଇଂରାଜୀ ଅନୁବାଦିକା ରକୱେଲ ତାଙ୍କ ସହ ମଞ୍ଚ ସେୟାର କରିଥିଲେ ।