ନୂଆଦିଲ୍ଲୀ:ଦିଲ୍ଲୀର ତିହାର ଜେଲରେ ଗ୍ୟାଙ୍ଗଓ୍ବାର । ଶୁକ୍ରବାର ଏହି ଗ୍ୟାଙ୍ଗଓ୍ବାର ହୋଇଥିବା ବେଳେ ଏଥିରେ ଗ୍ୟାଙ୍ଗଷ୍ଟାର ପ୍ରିନ୍ସ ତେଓ୍ବାତିଆକୁ ଛୁରୀ ଭୁସି ହତ୍ୟା କରାଯାଇଛି । ପ୍ରିନ୍ସ ତେଓ୍ବାତିଆ ଟପ ମୋଷ୍ଟ ଓ୍ବାଣ୍ଟେଡ ଲରେନ୍ସ ବିଷ୍ଣୋଇ ଏବଂ ଦିଲ୍ଲୀର ଦାଉଦ କୁହାଯାଉଥିବା ଟପ ଗ୍ୟାଙ୍ଗଷ୍ଟାର ହମିଶ ବାବାଙ୍କ ସାଥି ଥିଲା ।
ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ସନ୍ଧ୍ୟା ୫ଟା ସମୟରେ ତିହାର ଜେଲର ୩ ନମ୍ବର ପ୍ରକୋଷ୍ଠର କିଛି ଅପରାଧି ଅବଦୁର ରେହମାନ ନାମକ ଏକ କଏଦୀ ଉପରେ ଆକ୍ରମଣ କରିଥିଲେ । ପରେ ରେହମାନ ଏବଂ ତେଓ୍ବାତିଆଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ପରବର୍ତ୍ତୀ ସମୟରେ ବଚସା ଉଗ୍ରରୂପ ନେଇଥିବା ବେଳେ ତାକୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ପ୍ରିନ୍ସ ତେଓ୍ବାତିଆକୁ ୭ ଥର ଛୁରୀ ଭୁଶିଥିଲେ ଅପରାଧି ।
ଖବରଅନୁସାରେ, ଜେଲ ଭିତରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ମୋଟ ୬ଜଣ କଏଦୀ ଆହତ ହୋଇଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତରମାନେ ପ୍ରିନ୍ସ ତେଓ୍ବାତିଆକୁ ମୃତ ଘୋଷଣା କରିଥିଲେ । ଦିନଦୟାଲ ହସ୍ପିଟାଲରେ ଅନ୍ୟ ସମସ୍ତ କଏଦୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ତିହାର ଜେଲରେ ୨୦ରୁ ଅଧିକ ଗ୍ୟାଙ୍ଗଷ୍ଟାର ରହିଛନ୍ତି । ଏଥିମଧ୍ୟରୁ ଗତକାଲି(ଶୁକ୍ରବାର) ୬ଜଣଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ତେବେ ହରି ନଗର ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।