ଲକ୍ଷ୍ନୌ:ମାଫିଆ ଅତିକ ଅହମ୍ମଦ ଓ ତାର ଭାଇ ଅଶରଫକୁ ହତ୍ୟା କରିଥିବା 3 ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ ଆଶଙ୍କା ଥିବାରୁ ସେମାନଙ୍କୁ ଭିନ୍ନ ଜେଲକୁ ସ୍ଥାନାନ୍ତିରତ କରାଯାଇଛି । ଗିରଫ ପରେ ସେମାନଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ସମସ୍ତ 3 ହତ୍ୟାକାରୀ ନୈନୀ ଜେଲରେ ଥିବା ବେଳେ ଆଜି (ସୋମବାର) ସମସ୍ତଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ଉତ୍ତର ପ୍ରଦେଶର ବିଭିନ୍ନ ଜେଲ ସମେତ ଏହି ଜେଲରେ ମଧ୍ୟ କୁଖ୍ୟାତ ମାଫିଆ ଅତିକର ସହଯୋଗୀ ଅପରାଧୀ ଥିବା କାରଣରୁ ଏହି ତିନି ହତ୍ୟାକାରୀଙ୍କ ଉପରେ ଆକ୍ରମଣ କରାଯିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।
ଗତକାଲି ସେମାନଙ୍କୁ କୋର୍ଟରେ ହାଜର କରାଯିବା ପରେ ସମସ୍ତ 3 ହତ୍ୟାକାରୀଙ୍କୁ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ସମସ୍ତଙ୍କୁ କଡା ସୁରକ୍ଷା ମଧ୍ୟରେ ନୈନୀ ଜେଲକୁ ଅଣାଯାଇଥିଲା । ତିନୋଟି ଭିନ୍ନଭିନ୍ନ ସେଲରେ ସେମାନଙ୍କୁ କଡା ନୀରିକ୍ଷଣ ମଧ୍ୟରେ ରଖାଯାଇଥିଲା । ତେବେ ଏହି ଜେଲ୍ରେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବା କିଛି କୁଖ୍ୟାତ ଅପରାଧୀ ମଧ୍ୟ ସଜ୍ଜା କାଟୁଛନ୍ତି । ସେମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କ ମଧ୍ୟ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ସହ ରହିଛି ।
ଏହି 3 ହତ୍ୟାକାରୀଙ୍କୁ ଜେଲରେ ଆକ୍ରମଣ କରାଯିବା ନେଇ ଇନପୁଟ ସୂଚନା ମିଳିଥିଲା । ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଆଜି ସମସ୍ତଙ୍କୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତରିତ କରିଛି । ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଉତ୍ତର ପ୍ରଦେଶ ଏକ 3 ଜଣିଆ ନ୍ୟାୟିକ କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟି ଦୁଇ ମାସରେ ତଦନ୍ତ ଶେଷ କରି କୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି ।