ନୂଆଦିଲ୍ଲୀ: ଖଲିସ୍ତାନୀ ସମର୍ଥିତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ ନିରୋଧ ଅଧିନିୟମ (UAPA) ଅଧୀନରେ ଏହି କୁଖ୍ୟାତ ମାଫିଆକୁ ଆତଙ୍କବାଦୀ ଘୋଷଣା କରିଛି । ସତିନ୍ଦ୍ରଜିତ ସିଂ ଓରଫ ଗୋଲ୍ଡି ନାମରେ ପଞ୍ଜାବ ସମେତ ଏକାଧିକ ରାଜ୍ୟରେ ହତ୍ୟା, ଦାଦାବଟି ଓ ଅପହରଣ ପରି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି । ଗୋଲ୍ଡି ଏବେ ଭାରତରୁ ପଳାୟନ କରି କାନାଡାରେ ରହୁଛି । ସେଠାରେ ରହି ମଧ୍ୟ ସେ ଭାରତରେ ନିଜ ନେଟଓ୍ବାର୍କ ସାହାଯ୍ୟରେ ଅପରାଧ ଘଟାଇ ଚାଲିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ସ୍କାନରରେ ଏହି କୁଖ୍ୟାତ ମାଫିଆ ଦୀର୍ଘ ବର୍ଷ ହେବ ଥିବା ସତ୍ତ୍ବେ ମଧ୍ୟ ତାକୁ ଗିରଫ କରିବା ଭାରତ ପକ୍ଷରେ ସମ୍ଭବପର ହୋଇପାରିନି ।
2022 ମସିହାରେ ପଞ୍ଜାବ ମନସାରେ ଘଟିଥିବା ବହୁଚର୍ଚ୍ଚିତ କଂଗ୍ରେସ ନେତା ତଥା ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ମଧ୍ୟ ଗୋଲ୍ଡିର ଗ୍ୟାଙ୍ଗ ହିଁ ସମ୍ପୃକ୍ତ ଥିଲା । କାନାଡାରେ ରହି ନିଜ ସହଯୋଗୀ ଅପରାଧୀ ଓ ସୁଟରଙ୍କ ମାଧ୍ୟମରେ ଏହି ହତ୍ୟାକାଣ୍ଡ ଘଟାଇଥିବା ସେ ନିଜେ ସୋସିଆଲ ମିଡିଆରେ ଦାବି କରିଥିଲା । ଅନ୍ୟତମ କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଗୋଲ୍ଡି ବରାର ଗ୍ୟାଙ୍ଗର ସମ୍ପୃକ୍ତ ରହିଛି । ଲରେନ୍ସ ଏବେ ପଞ୍ଜାବର ଏକ ଜେଲରେ ଥିବା ବେଳେ ତାର ଅପରାଧିକ ନେଟଓ୍ବାର୍କ ମଧ୍ୟ ବିଭିନ୍ନ ଅପରାଧ ଘଟାଇବା ଜାରି ରଖିଛି ।