ହାଇଦ୍ରାବାଦ:ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ଶିଖର ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ତେବେ ବିଭିନ୍ନ ପ୍ରସଙ୍ଗରେ ଏହି ଆୟୋଜନ ସଫଳ ହୋଇଥିବା ବେଳେ ସର୍ବାଧିକ ଚର୍ଚ୍ଚାରେ ଥିବା ନୂଆଦିଲ୍ଲୀ ଡିକ୍ଲାରେସନକୁ ପୂର୍ଣ୍ଣ ସର୍ବସମ୍ମିତିରେ ଗ୍ରହଣ କରାଯିବା ଭାରତର ସର୍ବାଧିକ ସଫଳ କୂଟନୀତି ଓ ଉପଲବ୍ଧି ବୋଲି କୁହାଯାଉଛି । ତେବେ ଏହା ପଛରେ ଥିଲା କଠିନ ପରିଶ୍ରମ । ଏହି ଐତିହାସିକ ଘୋଷଣାପତ୍ର ପ୍ରସ୍ତୁତି କରିବା ପାଇଁ ପ୍ରାୟ 200 ଘଣ୍ଟାର କଥାବାର୍ତ୍ତା, 300 ଦ୍ୱିପାକ୍ଷିକ ବୈଠକ ଏବଂ 15ଟି ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ପଡିଥିଲା । ଏହା ପରେ ଚୂଡାନ୍ତ ରୂପ ପାଇଥିଲା ଆୟୋଜକ ଭାରତର ଘୋଷଣାପତ୍ର ବା ସଙ୍କଳ୍ପ । ଯାହାର ନାମ ଥିଲା ‘ନୂଆଦିଲ୍ଲୀ ଡିକ୍ଲାରେସନ’ ।
ଭାରତର ଏହି କୂଟନୈତିକ ପ୍ରସ୍ତୁତି ପଛରେ ରହିଥିଲେ ଜି20 ସମ୍ମିଳନୀର ଶେରପା ଅମିତାଭକାନ୍ତ । ଏହି ସମସ୍ତ କୂଟନୈତିକ ପ୍ରସ୍ତୁତି ପଛରେ ରହିଥିଲା ଅମିତାଭଙ୍କ ଟିମର କଠୋର ପରିଶ୍ରମ । ଯାହା ଭାରତକୁ ବିଶ୍ବ ଦରବାରରେ ସଫଳ ପରିଚୟ ଦେଇଛି । G20 ଶେରପା ଅମିତାଭକାନ୍ତ ସୋସିଆଲ ମିଡିଆରେ G20 ଦେଶ ମଧ୍ୟରେ ସହମତି ସୃଷ୍ଟି କରିବାକୁ ଅସାଧାରଣ ପ୍ରୟାସର ଅନୁଭୂତି ମଧ୍ୟ ସେୟାର କରିଥିଲେ । ସେ ଦର୍ଶାଇଛନ୍ତି ଯେ ସମଗ୍ର ଜି20 ଶିଖର ସମ୍ମିଳନୀର ସବୁଠାରୁ ଜଟିଳ ତଥା ଆହ୍ବାନପୂର୍ଣ୍ଣ ପ୍ରସଙ୍ଗ ଥିଲା ଭୌଗୋଳିକ-ରାଜନୈତିକ ପ୍ରସଙ୍ଗରେ ବିଶ୍ବ ସମୁଦାୟ ତଥା ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଙ୍କ ସହମତି ହାସଲ କରିବା ।
ଏହି ପ୍ରସଙ୍ଗ ମଧ୍ୟରେ ବିଶେଷ କରି ଋଷ-ୟୁକ୍ରେନ ବିବାଦ ଉପରେ ସହମତି ହାସଲ କରିବା ଥିଲା । ଏହି ସଫଳତା ପାଇଁ 300 ଦ୍ୱିପାକ୍ଷିକ ବୈଠକ ଏବଂ 15ଟି ଡ୍ରାଫ୍ଟ ସଂଶୋଧନ ସହିତ 200 ଘଣ୍ଟାର କଥାବାର୍ତ୍ତା କରିବାକୁ ପଡିଥିଲା ଅଭୟକାନ୍ତ କୁହନ୍ତି । ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭୟକାନ୍ତ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।