ନୂଆଦିଲ୍ଲୀ:ବ୍ରାଜିଲକୁ ଦାୟିତ୍ବ ହସ୍ତାନ୍ତର ସହିତ ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ସଫଳତାର ସହ ସମାପନ ହୋଇଯାଇଛି । ସମ୍ପ୍ରତି ବିଶ୍ବର ଅନେକ ରାଷ୍ଟ୍ର ଖାଦ୍ୟସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ଜି-୨୦ ଏହାର ଦୂରୀକରଣ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବ । ଚଳିତ ବର୍ଷର ଜି-୨୦ ଅଧ୍ୟକ୍ଷ ରହିଥିବା ଭାରତ ନିଜ କୃଷକଙ୍କ ସ୍ବାର୍ଥ ସାଧନ ସହିତ କିଛି ମାତ୍ରାରେ ବିଶ୍ବ କ୍ଷୁଧା ମେଣ୍ଟାଇବାର କ୍ଷମତା ରଖିଛି । ଏହି ଲକ୍ଷ୍ୟ ହାସଲ ପାଇଁ ଉଭୟ ଜି-୨୦ ଏବଂ ବ୍ରିକ୍ସ ମାଧ୍ୟମରେ ଭାରତ ନିଜ ସ୍ଥିତିର ଲାଭ ଉଠାଇପାରିବ ମଧ୍ୟ । ହେଲେ ସଦ୍ୟ ସମାପ୍ତ ସମ୍ମିଳନୀର ନୂଆଦିଲ୍ଲୀ ଘୋଷଣାନାମାରେ କୃଷିକ୍ଷେତ୍ରକୁ ନେଇ କୌଣସି ବଡ଼ ଘୋଷଣା କରାଯାଇନି ।
ଚଳିତ ବର୍ଷ ଆରମ୍ଭରେ କୃଷିମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ପୁନଃ ଅମଳକ୍ଷମ କୃଷି(Regenerative agriculture) ଉପରେ ଜୋର ଦେଇଥିଲେ । ତେଣୁକରି ସାରା ବିଶ୍ବରେ ଏହି କୃଷି ପ୍ରଣାଳୀର ପ୍ରୋତ୍ସାହନ ପାଇଁ ବୈଶ୍ବିକ ସହମତି ମିଳିପାରିବ ବୋଲି ଆଶା ରହିଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ସେପରି କିଛି ଘଟିଲା ନାହିଁ । ଏହା ବଦଳରେ 'ବୈଶ୍ବିକ ଜୈବ ଇନ୍ଧନ ମେଣ୍ଟ' ଗଠନ କରାଗଲା, ଯାହାର ନେତୃତ୍ବ ମୁଖ୍ୟ ରୂପେ ଆମେରିକା, ବ୍ରାଜିଲ୍ ଏବଂ ଭାରତ ନେଲା । ଏହି ମେଣ୍ଟର ଲକ୍ଷ୍ୟ ଇଥାନଲ ଓ ଅନ୍ୟାନ୍ୟ ଜୈବ ଇନ୍ଧନର ଉତ୍ପାଦନ, ବାଣିଜ୍ୟ ଏବଂ ବ୍ୟବହାରକୁ ପ୍ରୋତ୍ସାହନ କରିବା । ଉଭୟ ଭାରତ ଓ ଆମେରିକା ଘରୋଇ ଇନ୍ଧନ ଉତ୍ପାଦନ ବୃଦ୍ଧି ସହିତ ଏହାର ରପ୍ତାନୀ ହ୍ରାସ କରିବାକୁ ପେଟ୍ରୋଲ ଓ ଡିଜେଲ ସହ ଇଥାନଲର ମିଶ୍ରଣ ପାଇଁ ଅନୁମତି ଦେଇଛନ୍ତି । ତେବେ ଭାରତ ଚିନି ଉତ୍ପାଦନରେ ବଳକା ଦେଶ ହୋଇଥିବା ବେଳେ ଅତିରିକ୍ତ ଚିନି ଉତ୍ପାଦନ ବର୍ତ୍ତମାନ ଇଥାନଲ ଓ ଜୈବ ଇନ୍ଧନ ପ୍ରସ୍ତୁତିରେ ଉପଯୋଗ ହୋଇପାରିବ ।
ସମ୍ପ୍ରତି ବିଶ୍ବରେ ଖାଦ୍ୟଶସ୍ୟ ଉପଲବ୍ଧତା ଉପରେ ୟୁକ୍ରେନ୍-ଋଷିଆ ଯୁଦ୍ଧର ପ୍ରଭାବ, ରସାୟନିକ ସାର ଯୋଗାଣ, କୃଷ୍ଣ ସାଗର ଚୁକ୍ତି ପ୍ରଭୃତି କୃଷି ଓ ଖାଦ୍ୟଶସ୍ୟ ସଂରକ୍ଷଣକୁ ପ୍ରାଥମିକତା ଦେବାକୁ ବାଧ୍ୟ କରିଛି । ଯୁଦ୍ଧ ଯୋଗୁଁ ବୈଶ୍ବିକ ସ୍ତରରେ ଖାଦ୍ୟଶସ୍ୟ ଯୋଗାଣ ପ୍ରଭାବିତ ହୋଇଛି । ତେବେ ବିଶ୍ବରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଓ କୃଷି ସହଭାଗିତା ବୃଦ୍ଧି ପାଇଁ ଜି-୨୦ର ଏକ କାର୍ଯ୍ୟକାରିଣୀ ଗୋଷ୍ଠୀ ରହିଛି । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୈବିକ ଚାଷ ସମର୍ଥନରେ କହିଲେ, ସେତେବେଳେ ଏହା ରସାୟନିକ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ଏବଂ କୃଷି ଦ୍ବାରା ଜାତ ଗ୍ରୀନହାଉସ ଗ୍ୟାସ ନିର୍ଗମନ ରୋକିବା ଦିଗରେ ଏକ ସୁଯୋଗ ଭଳି ମନେ ହୋଇଥିଲା । ହେଲେ ଜି-୨୦ରେ ଏହି ସୁଯୋଗ ହାତଛଡା ହୋଇଗଲା । ତେଣୁ ବିଶ୍ବରୁ ଖାଦ୍ୟ ସଙ୍କଟ ଦୂର କରିବାକୁ ହେଲେ ପୁନଃ ଅମଳକ୍ଷମ କୃଷି ପ୍ରଣାଳୀକୁ ଅନ୍ତର୍ଜାତୀୟ ଏଜେଣ୍ଡା ଭାବେ ଗ୍ରହଣ କରିବାକୁ ହେବ ଏବଂ ବ୍ରାଜିଲ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଆସନ୍ତା ଜି-୨୦ ସମ୍ମିଳନୀରେ ଏହାକୁ ପ୍ରାଥମିକତା ଦେବାକୁ ପଡିବ ।