ଉତ୍ତର ପ୍ରଦେଶ ପରେ କେରଳରେ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ)ର ସର୍ବାଧିକ ଶାଖା ରହିଛି । ବର୍ତ୍ତମାନ ୟୁପିରେ ତ ବିଜେପି ଶାସନ ଚାଲିଛି । କିନ୍ତୁ କେରଳରେ ବିଜେପିର ମାତ୍ର ଜଣେ ହିଁ ବିଧାୟକ ରହିଛନ୍ତି । 2016 ବିଧାନସଭା ନିର୍ବାଚନରେ ବିଜେପି କେରଳରେ ଏକମାତ୍ର ଆସନ ଜିତି ପ୍ରଥମ ଥର ପାଇଁ ଖାତା ଖୋଲିଥିଲା । କେରଳରେ 5 ହଜାରରୁ ଅଧିକ ଆରଏସଏସ ଶାଖାର ଉପସ୍ଥିତି ସତ୍ତ୍ବେ ବିଜେପି ପାଇଁ ଏହା ଭୋଟ୍ ଆଣିପାରିନାହିଁ । 2016 ମସିହା ଯାଏଁ କଂଗ୍ରେସ ବା ସିପିଏମର ଭୋଟ ବ୍ୟାଙ୍କ୍ ଉପରେ ବି ପ୍ରଭାବ ପକାଇପାରି ନ ଥିଲା ବିଜେପି ।
ତେବେ, ଏକ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି କେମିତି ତିଷ୍ଠି ରହିବାକୁ ହୁଏ, ତାହା ବିଜେପି 1980 ମସିହାରେ ପ୍ରତିଷ୍ଠା ହେବାଠାରୁ ଶିଖିପାରିଛି । ଭାରତୀୟ ଜନସଂଘ ଓ ଜନତା ପାର୍ଟିର ପୂର୍ବତନ କ୍ୟାଡରମାନଙ୍କ ଦ୍ବାରା ବିଜେପି ପ୍ରତିଷ୍ଠା ହେଲା ପରଠାରୁ ଦଳ ଦୃଢତାର ସହ ହିନ୍ଦୁତ୍ବ ଓ ଅନ୍ୟ ପ୍ରସଙ୍ଗରେ ନିଜର ବିଚାରଧାରା ବଜାୟ ରଖିଛିପାରିଛି । ପ୍ରତିକୂଳ ସମୟ ଦେଇ ଗତି କରିବା ସହ ଦେଶର ଅଧିକାଂଶ ରାଜ୍ୟରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇପାରିଛି ବିଜେପି ।
କେରଳରେ ବି ବିଜେପି ଧୈର୍ଯ୍ୟର ସହ ନିଜର ବିଚାରଧାରାରେ ବଜାୟ ରହି ଲଢେଇ ଜାରି ରଖିଛି । ପ୍ରତିକୂଳ ବାତାବରଣ ସତ୍ତ୍ବେ ବିଜେପିର ସଂଘର୍ଷ ଜାରି ରହିଛି । କେରଳରେ ଦେଶର ଅନେକ ସମାଜ ସଂସ୍କାର ଆନ୍ଦୋଳନ ଜନ୍ମ ନେଇଛି । କେରଳ ଏପରି ଏକ ରାଜ୍ୟ ଯେଉଁଠି ସାଧୁମାବେ ଦଳିତ ଉତଥାନ ଓ ବ୍ରାହ୍ମଣବାଦ ଉଚ୍ଛେଦ କଥା କହନ୍ତି । ଏସବୁ ପ୍ରସଙ୍ଗ ନେଇ ନିଜର କ୍ୟାଡର ବେଶ୍ ସୁଦୃଢ କରିପାରିଛି ବିଜେପି ।
ଏହି ନୂଆ ସାମର୍ଥ୍ୟ ନେଇ ବିଜେପି ଆଗାମୀ ବିଧାନସଭା ନିର୍ବାଚନରେ 20ଟି ଆସନରେ ପ୍ରମୁଖ ଦଳଗୁଡିକୁ କଡା ଟକ୍କର ଦେବା ପାଇଁ ଲକ୍ଷ୍ୟ ରଖିଛି । ଏଥିମଧ୍ୟରୁ ଅନ୍ତତଃ 5ଟି ଆସନ ଜିତିବା ପାଇଁ ଆଶା ରଖିଛି ଦଳ । କେରଳରେ 2006 ଯାଏଁ 140ଟି ବିଧାନସଭା ଆସନରୁ ଅଧିକାଂଶ ଆସନରେ ବିଜେପିର ହାରାହାରି ଭୋଟ ସଂଖ୍ୟା 5 ହଜାରରୁ 10 ହଜାର ଥିଲା । ଏଲଡିଏଫ ବା ୟୁଡିଏଫ ପରେ ବହୁ ପଛରେ ତୃତୀୟ ସ୍ଥାନରେ ହିଁ ବିଜେପି ସନ୍ତୁଷ୍ଟ ହୋଇଆସିଛି ।
ବିଗତ କିଛି ବିଧାନସଭାରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ବେ ବିଜେପି ଉଦାରବାଦୀ କେରଳରେ ଆଶା ହରାଇ ନାହିଁ । ବିଜେପି ଓ ଆରଏସଏସ ରାଜ୍ୟରେ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଛୋଟ ଛୋଟ ଅଞ୍ଚଳରେ କଡା ଟକ୍କର ଦେବାର ମହତ୍ତ୍ବ ବୁଝିପାରିଛନ୍ତି । ଏସବୁ ଅଞ୍ଚଳରେ ଜାତି ଓ ସମ୍ପ୍ରଦାୟର ଶକ୍ତିସାମର୍ଥ୍ୟ ବୁଝିପାରିଛନ୍ତି ବିଜେପି ଓ ଆରଏସଏସ । ଏ କ୍ରମରେ କେରଳର କାସରଗଡ ଜିଲ୍ଲା ମଞ୍ଜେଶ୍ବରମ ଓ ଥିରୁଅନନ୍ତପୁରମର ନେମୋମ ଉପରେ ଫୋକସ୍ କରିଛି ବିଜେପି ।
ମଞ୍ଜେଶ୍ବରମ୍ରେ ଆଖିଦୃଶିଆ କନ୍ନଡ ବ୍ରାହ୍ମଣ ସମ୍ପ୍ରଦାୟ ବସବାସ କରନ୍ତି । ଐତିହାସିକ ଭାବେ ଏହି ସମ୍ପ୍ରଦାୟ ହିନ୍ଦୁତ୍ବ ବିଚାରଧାରାକୁ ସମର୍ଥନ କରିଆସିଛନ୍ତି । ଏହି ସମ୍ପ୍ରଦାୟ ସମ୍ପୃକ୍ତ ଅଞ୍ଚଳରେ ବିଜେପିର ଶକ୍ତି ବୃଦ୍ଧି କରିବାର ସହାୟକ ହୋଇଛି । ମାଙ୍ଗାଲୋରର ବ୍ୟବସାୟୀଙ୍କଠାରୁ ବ୍ୟାପକ ଆର୍ଥିକ ସହାୟତା ପାଇ ବିଜେପି କାସରଗଡରେ ପ୍ରାଧାନ୍ୟ ବିସ୍ତାର କରିଆସିଥିବା ଅନ୍ୟ ବଡ ଦଳଗୁଡିକୁ ଚ୍ୟାଲେଞ୍ଜ କରିପାରିବା ସ୍ଥିତିରେ ରହିଛି ।
କିନ୍ତୁ ଏହି ଆସନରେ ବିଜୟୀ ହୋଇପାରିନାହିଁ ବିଜେପି । କାସୋରଗଡରେ ମୁସଲିମଙ୍କ ସଂଖ୍ୟା ଅଧିକ, ଯେଉଁମାନେ କି କଂଗ୍ରେସ ନେତୃତ୍ବାଧିନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟରେ ଅଂଶୀଦାର ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍ର ସମର୍ଥକ । ବିଜେପିର ଅଭିଯୋଗ ଯେ, ଗତ ବିଧାନସଭା ନିର୍ବାଚନରେ ଏଲଡିଏଫର ଛାମୁଆ ପାର୍ଟି ଥିବା ସିପିଏମ କ୍ୟାଡରଙ୍କ ଆଇୟୁଏମଏଲ ସପକ୍ଷରେ କ୍ରସ ଭୋଟିଂ ଯୋଗୁଁ ମଞ୍ଜେଶ୍ବରମ ଆସନରେ ଦଳ ଜିତିପାରି ନ ଥିଲା ।
ସେହିଭଳି ନେମୋମ ଅଞ୍ଚଳରେ ମଧ୍ୟ ଆରଏସଏସର ଭଲ ଉପସ୍ଥିତି ରହିଛି । ଏଠାରେ ହିନ୍ଦୁ ଭୋଟରଙ୍କ ସଂଖ୍ୟା ଅଧିକ । ଏଥିଯୋଗୁଁ ଏଠାରେ ବିଜେପିର ଶକ୍ତି ବୃଦ୍ଧି ଘଟିଛି । ଏହି ଆସନରେ ବିଜେପିର ପ୍ରଥମ ରାଜ୍ୟ ସଭାପତି ଓ. ରାଜଗୋପାଳ ଏକାଧିକ ଥର ପରାସ୍ତ ହୋଇଥିଲେ ମଧ୍ୟ ଆଶା ହରାଇ ନ ଥିଲା ଦଳ । ଶେଷରେ 2016 ବିଧାନସଭା ନିର୍ବାଚନରେ ନେମୋନ ଆସନରେ ବିଜୟର ସ୍ବାଦ ଚାଖିଥିଲା ବିଜେପି ।