ଗାନ୍ଧୀନଗର:ସମୁଦ୍ରରେ ବୁଡିଯାଉଥିଲେ 4 ଯୁବକ । ଖବର ପାଇ ପହଞ୍ଚିଲେ ସ୍ଥାନୀୟ ବିଧାୟକ । କେବଳ ଜନପ୍ରତିନିଧି ଭାବେ ଘଟଣାସ୍ଥଳରେ ପହଞ୍ଚିଲେ ନାହିଁ ବରଂ ଉଦ୍ଧାରକାରୀ ଟିମ୍ ସହ ସାମିଲ ହେଲେ । ରେସକ୍ୟୁ ଟିମ୍ ସଦସ୍ୟଙ୍କ ସହ ସମୁଦ୍ରକୁ ଡେଇଁ ଯୁବକଙ୍କୁ ଉଦ୍ଧାର କଲେ । ଏପରି ଘଟଣା ଗୁଜୁରାଟ ଆମରେଲୀରେ ଦେଖିବାକୁ ମିଳିଛି । ଆମରେଲୀର ରାଜୁଲା ଉପକୂଳର ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ବିଧାୟକ ହୀରା ସୋଲାଙ୍କି ଏପରି ସାହାସିକତା ଓ ପ୍ରଶଂସନୀୟ କର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ।
ସୂଚନା ଅନୁସାରେ, ଆମରେଲିର ରାଜୁଲା ବେଳାଭୂମିରେ ଗାଧାଉଥିବା ବେଳେ 4 ଯୁବକ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ଖବର ମିଳିବା ପରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର ମିଶନ ଆରମ୍ଭ କରିବା ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ସଂସ୍ଥା ସହ ମେଡିକାଲ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅନ୍ୟପଟେ ଖବର ପାଇ ସ୍ଥାନୀୟ ବିଧାୟକ ହୀରା ସାଲୋଙ୍କୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେସ୍କ୍ୟୁ ଟିମ୍ ସହ ବିଧାୟକ ସାଲୋଙ୍କୀ ସମୁଦ୍ର ମଧ୍ୟକୁ ଯିବା ସହ ଗଭୀର ଜଳରାଶିକୁ ଉଦ୍ଧାରକାରୀ ଟିମ୍ ସଦସ୍ୟଙ୍କ ସହ ଲମ୍ଫ ଦେଇଥିଲେ । ଏହି ଅପରେସନରେ 3 ଯୁବକଙ୍କୁ ଉଦ୍ଧାର କରାଯିବାରେ ସଫଳତା ମିଳିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।