ରାଞ୍ଚି:ଝାଡଖଣ୍ଡର ଧନବାଦରେ ରେଲଓ୍ବେ ନିର୍ମାଣଧୀନ ଅଣ୍ଡରପାସ ଭୁଶୁଡି ପଡିବା ଫଳରେ କାର୍ଯ୍ୟରେ ନିୟୋଜିତ 4 ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ 9ଟାରେ ଏହି ଅଘଟଣ ଘଟିଥିଲା । ଆଜି (ବୁଧବାର) ମାଡି ଅତଡା ତଳେ ଫସି ରହିଥିବା ସମସ୍ତ 4 ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକମାନେ ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନାକୁ ଦେଖି ରେଳବାଇ ମଧ୍ୟ ତୁରନ୍ତ ପ୍ରତ୍ୟେକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 20 ଲକ୍ଷ ଟଙ୍କା ଘୋଷଣା କରିଛି ।
ଗତକାଲି ରାତି ପ୍ରାୟ 9ଟାରେ ଏହି ଅଘଟଣ ସମ୍ପର୍କରେ ଜଣାପଡିବା ପରେ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । କିନ୍ତୁ ସେମାନେ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଉକ୍ତ ନିର୍ମାଣଧୀନ ଅଣ୍ଡରପାସ ଉପରେ ଏକ ମାଲବାହୀ ଟ୍ରେନ ଯିବା ଫଳରେ ମାଟି ଅତଡା ଧସିଥିବା ଅଭିଯୋଗ କରି ରେଳବାଇର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ।