ଲକ୍ଷ୍ନୌ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲା ବଡୋଖର ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ଚାରି ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୮ ବର୍ଷର ଜଣେ ନାବାଳକ, ଜଣେ ବୃଦ୍ଧ ଓ ଦୁଇ ଜଣ ମହିଳା ରହିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ଏହି ଘଟଣାରେ ମୃତ ବୃଦ୍ଧଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁଯାୟୀ, ବାରଦାତ ଗିରଖା ଅନ୍ତର୍ଗତ ବଡ଼ଖୋର ବୁଜୁର୍ଗ ଗ୍ରାମରେ ଏହି ଘଟଣା ଘଟିଛି । ଚୁନ୍ନୁ କୁଶବାହ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ ଏଠାରେ ରହୁଥିଲେ । ପରିବାରରେ ତାଙ୍କ ପତ୍ନୀ, ପୁଅ, ବୋହୂ ଏବଂ ନାତି ଥିଲେ । ରବିବାର ସକାଳେ ହଠାତ ପରିବାରର ଚାରିଜଣଙ୍କ ମୃତଦେହ ପଡ଼ିଥିବା ପଡ଼ୋଶୀ ଦେଖିବାକୁ ପାଇଥିଲେ । ପ୍ରଥମେ ଘରର ଛାତ ଉପରେ ୮ ବର୍ଷ ନାବାଳକ ପୁଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଘର ଅଗଣାରେ ଚୁନ୍ନୁଙ୍କ ମୃତଦେହ ପଡ଼ିଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଘର ଭିତରେ ପ୍ରବେଶ କରିବା ପରେ ଅନ୍ୟ ଦୁଇ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲା ।