ନୂଆଦିଲ୍ଲୀ:ଥଣ୍ଡାରୁ ରକ୍ଷା ପାଇଁ ରାତିରେ ଘରେ ନିଆଁ ଜାଳିଥିଲେ । ହେଲେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଗୋଟିଏ ପରିବାର 4 ଜୀବନ । ମୃତକମାନେ ଦମ୍ପତି ଓ ତାଙ୍କ 2 ଶିଶୁ ବୋଲି ଜଣାପଡିଛି । ଉତ୍ତର ଦିଲ୍ଲୀର ଖେଡା ଏରିଆରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି । ଆଜି ସକାଳେ ପୋଲିସ ପହଞ୍ଚି ଦମ୍ପତି ଓ ତାଙ୍କର ଦୁଇ ଶିଶୁଙ୍କ ମୃତଦେହ ପଡୋଶୀଙ୍କ ସାହାଯ୍ୟରେ ଉଦ୍ଧାର କରିଛି । ଘର ଭିତରପଟୁ ବନ୍ଦ ଥିଲା । ସେମାନେ ଶୋଇଥିବା କୋଠରୀରେ ନିଆଁ ଜଳାଯାଇଥିବା ଦେଖିବାକୁ ମିଳିଛି । ତେବେ ଧୂଆଁରେ ଶ୍ବାସରୁଦ୍ଧ ହୋଇ ସମସ୍ତ 4 ଜଣଙ୍କ ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ଅଲିପୁର ଥାନା କ୍ଷେତ୍ର ଅଧୀନରେ ଏହି ଅଘଟଣ ଘଟିଛି । ମୃତକ ଦିନକର ସିଂ, ତାଙ୍କ ପତ୍ନୀ ଲଳିତା ଓ ତାଙ୍କର 7 ଓ 8 ବର୍ଷୀୟ 2 ଶିଶୁ । ଗତକାଲି ରାତିରେ ସେମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଶୋଇଥିବା କୋଠରୀରେ ନିଆଁ ଜାଳିଥିଲେ । ଆଜି ସେମାନଙ୍କୁ ଅଚେତ ଅବସ୍ଥାରେ ପଡୋଶୀ ଠାବ କରିବା ପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲା । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା । କୋଠରୀରେ ଧୂଆଁରେ ସେମାନେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।