ଜୟପୁର(ରାଜସ୍ଥାନ):ଅଟାକଳ ଚଲାଇବା ବେଳେ ଲାଗିଲା କରେଣ୍ଟ । ବିଦ୍ୟୁତ ଆଘାତରେ ଆଖି ପିଛୁଳାକେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଶୁକ୍ରବାର ରାତିରେ ରାଜସ୍ଥାନ ବାଡେମେର ଜିଲ୍ଲାରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳା, ତାଙ୍କର ଦୁଇ ଛୁଆ ଓ ବାପାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କୁ ବଞ୍ଚାଇବାକୁ ଯାଇଁ ଅନ୍ୟମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, ବାଡମେର ଜିଲ୍ଲାର ରାମଦେବପୁର ଗାଁରେ ଏହି ଅଘଟଣ ଘଟିଛି । ଗାଁର ଅର୍ଜୁନ ସିଂହ ନାମକ ବ୍ୟକ୍ତି କୌଣସି କାମରେ ଦିଲ୍ଲୀ ଯାଇଥିଲେ । ଗାଁରେ ତାଙ୍କର ଦୁଇ ଛୁଆ ଓ ପତ୍ନୀ ଥିଲେ । ଶୁକ୍ରବାର ରାତି ପ୍ରାୟ ସାଢେ ୯ଟା ବେଳେ ଅର୍ଜୁନଙ୍କ ସ୍ତ୍ରୀ ଛେଲୁ ଘରେ ଅଟା ପେଶିବାକୁ ଅଟାକଳ ଚଲାଉଥିବା ବେଳେ ତାଙ୍କୁ କରେଣ୍ଟ ଲାଗିଥିଲା । ମାଆକୁ ଦେଖି ଦୁଇ ନାବାଳକ ପୁଅ ପାଖକୁ ଧାଇଁ ଆସିଥିଲେ । ଫଳରେ ସେ ଦୁହେଁ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ମହିଳାଙ୍କ ବାପା ସମସ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଦୁଇ ଛୁଆଙ୍କ ସମେତ ୪ ଜଣଙ୍କ ଜୀବନ ଯାଇଛି ।
ଏହାମଧ୍ୟ ପଢନ୍ତୁ: Woman Paraded Naked Case: ମହିଳାଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ, 3 ଗିରଫ