ଓଡିଶା

odisha

ETV Bharat / bharat

ତୁର୍କୀରେ ସଡକ ଦୁର୍ଘଟଣାରେ 4 ଗୁଜୁରାଟି ଛାତ୍ରଛାତ୍ରୀ ମୃତ - ତୁର୍କୀରେ ସଡକ ଦୁର୍ଘଟଣା

ତୁର୍କୀରେ ସଡକ ଦୁର୍ଘଟଣାରେ 4 ଭାରତୀୟ ଛାତ୍ରଛାତ୍ରୀ ମୃତ । ମୃତକଙ୍କ ମଧ୍ୟରେ ଦୁଇ ଛାତ୍ରୀ । ସମସ୍ତେ ଗୁଜୁରାଟର ବାସିନ୍ଦା । ହୋଟେଲ ମ୍ୟାନେଜମେଣ୍ଟ ଅଧ୍ୟୟନ ପାଇଁ ଯାଇଥିଲେ ତୁର୍କୀ । ଅଧିକ ପଢନ୍ତୁ

ତୁର୍କୀରେ ସଡକ ଦୁର୍ଘଟଣାରେ 4 ଭାରତୀୟ ଛାତ୍ର ମୃତ, ସମସ୍ତେ ଗୁଜୁରାଟର
ତୁର୍କୀରେ ସଡକ ଦୁର୍ଘଟଣାରେ 4 ଭାରତୀୟ ଛାତ୍ର ମୃତ, ସମସ୍ତେ ଗୁଜୁରାଟର

By

Published : Jul 5, 2023, 8:47 PM IST

ଗାନ୍ଧୀନଗର: ତୁର୍କୀରେ ଏକ କାର ଦୁର୍ଘଟଣାରେ 4ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୁଜୁରାଟର ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଛାତ୍ରୀ ମଧ୍ଯ ରହିଛନ୍ତି । ପୋରବନ୍ଦରର ଦୁଇ ଛାତ୍ର, ବନାସକାନ୍ତର ଓ ଭଦୋଦରାରୁ ଦୁଇ ଛାତ୍ରୀ ରହିଛନ୍ତି । ମୃତକଙ୍କ ନାମ ଅଞ୍ଜଳି ମାକୱାନା, ପ୍ରତାପ କରଭଦରା, ଜୟଶ ଅଗ୍ରଥ ଏବଂ ହେନା ପୃଥକ୍ । ଏମାନେ ହୋଟେଲ ମ୍ୟାନେଜମେଣ୍ଟ ପଢିବା ପାଇଁ ତୁର୍କୀ ଯାଇଥିଲେ ।

ସୂଚନା ଅନୁସାରେ, ଏହି 4 ଭାରତୀୟ ଛାତ୍ରଛାତ୍ରୀ ସେଠାରେ ହୋଟେଲ ମ୍ୟାନେଜମେଣ୍ଟ ଅଧ୍ୟୟନ କରୁଥିଲେ । ଗତକାଲି ଛୁଟି କାଟିବା ପାଇଁ ଏକ କାରରେ ସେମାନେ ପରିଭ୍ରମଣରେ ବାହାରିଥିଲେ । ତୁର୍କୀର କିରେନିଆ ନିକଟରେ ତାଙ୍କ କାର ସହ ଅନ୍ୟ ଏକ କାର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଛାତ୍ରୀଙ୍କୁ ମିଶାଇ ମୋଟ 4 ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନିକଟବର୍ତ୍ତୀ ହସ୍ପିଟାଲକୁ ପଠାଇଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡିକୁ ମଧ୍ୟ ପୋଲିସ ପକ୍ଷରୁ ଜବତ କରାଯାଇଛି ।

ଏହି ଘଟଣା ଜଣାପଡିବା ପରେ ମୃତ ଛାତ୍ରଛାତ୍ରୀଙ୍କ ପରିବାର ମୃତଦେହ ଭାରତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସେମାନେ ସ୍ଥାନୀୟ ପ୍ରଶାସନ ସହ ଜନ ପ୍ରତିନିଧିଙ୍କୁ ମଧ୍ୟ ନିବେଦନ କରିଛନ୍ତି । ଗୁଜୁରାଟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ମୃତଦେହ ଗୁଜୁରାଟ ଫେରାଇ ଆଣନ୍ତୁ ବୋଲି ମୃତକଙ୍କ ପରିବାର ସଦସ୍ଯ ନିବେଦନ କରିଛନ୍ତି ।

ମୃତ ଛାତ୍ରୀ ଅଞ୍ଜଳିଙ୍କ ପିତାଙ୍କ ସୂଚନା ଅନୁସାରେ, ଅଞ୍ଜଳି ଗତ ଏକ ବର୍ଷ ହେବ ସାଇପ୍ରସରେ ପାଠ ପଢୁଥିଲେ । ଗତକାଲି ଦୁର୍ଘଟଣାରେ ତାର ମୃତ୍ୟୁ ହୋେଇଯାଇଥିବା ସୂଚନା ମିଳିଲା । ସେମାନେ ଜିଲ୍ଲା ପ୍ରାଶାସନ, ସ୍ଥାନୀୟ ବିଧାୟକ ଜିଗ୍ନେଶ ଭାଇଙ୍କୁ ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଓ ଭାରତ ସରକାର ମୃତଦେହ ଗୁଜୁରାଟ ଫେରାଇ ଆଣିବାକୁ ପ୍ରୟାସ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ମୃତ ଅଞ୍ଜଳିଙ୍କ ପିତା ନିବେଦନ କରିଛନ୍ତି । ସେହିପରି ଅନ୍ୟ ମୃତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମଧ୍ୟ ମୃତଦେହ ଫେରାଇ ଆଣିବାକୁ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି । ମୃତଦେହ ଗୁଜୁରାଟ ଫେରାଇ ଆଣିବା ପାଇଁ ଗୁଜୁରାଟ ସରକାର ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି । ଏନେଇ ତୁର୍କୀ ସହ ଯୋଗାଯୋଗ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details