ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମଙ୍କ ପରଲୋକ(Former Union Minister Pandit Sukh Ram passes away) । 95 ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ପୁଅ ଅନିଲ ଶର୍ମା ସୂଚନା ଦେଇଛନ୍ତି । ପଣ୍ଡିତ ସୁଖରାମଙ୍କ ବ୍ରେନ ଷ୍ଟୋକ ହେବା ପରେ ମେ 7 ତାରିଖରେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସ(AIIMS)ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଭେଣ୍ଟିଲେଟରରେ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମେ 4 ତାରିଖରେ ପଣ୍ଡିତ ସୁଖରାମଙ୍କ ବ୍ରେନ ଷ୍ଟୋକ ହୋଇଥିଲା । ତାଙ୍କୁ ପ୍ରଥମେ ହିମାଚଳ ପ୍ରଦେଶ ମଣ୍ଡିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଉତ୍ତମ ଚିକିତ୍ସା ପାଇଁ ମେ 7 ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏୟାରଲିଫ୍ଟ ଜରିଆରେ ଦିଲ୍ଲୀ ନିଆଯାଇଥିଲା ଏବଂ ଏମ୍ସରେ ଭର୍ତ୍ତି କାରଯାଇଥିଲା । ତାଙ୍କ ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ପଣ୍ଡିତ ସୁଖରାମଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ମଣ୍ଡି ଅଣାଯିବ । ଶେଷ ଦର୍ଶନ ପାଇଁ ସହରର ଐତିହାସିକ ସେରୀ ମଞ୍ଚରେ ତାଙ୍କ ପାର୍ଥିବ ଶରୀରକୁ ରଖାଯିବ । ଏହାପରେ ରାଜକୀୟ ସମ୍ମାନର ସହ ହନୁମାନଘାଟ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।