ନୂଆଦିଲ୍ଲୀ: କଂଗ୍ରେସ ସହ ଦୀର୍ଘ 46 ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଅଶ୍ୱିନୀ କୁମାର । ଆଜି (ମଙ୍ଗଳବାର) ଅଶ୍ବିନୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ଦଳର ମଧ୍ୟବର୍ତ୍ତୀକାଳୀନ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି ।
ନିଜ ଇସ୍ତଫାପତ୍ରରେ ଅଶ୍ବିନୀ ଦର୍ଶାଇଛନ୍ତି ଯେ, ନିକଟ ଭବିଷ୍ୟତରେ ଦଳର କୌଣସି ଉତ୍ଥାନ ତାଙ୍କୁ ଦୃଷ୍ଟି ଗୋଚର ହେଉ ନାହିଁ । ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ଛାଡିବା ପରେ ମଧ୍ୟ ସେ ସମ୍ମାନର ସହ ଜାତୀୟ ସ୍ବାର୍ଥ ପାଇଁ କାର୍ଯ୍ୟ ଜାରି ରଖିପାରିବେ । ତେଣୁ ଦଳ ସହ ଦୀର୍ଘ ୪୬ ବର୍ଷ କାମ କରିବା ପରେ ସେ ଦଳ ଛାଡିବା ପାଇଁ ବାଧ୍ୟ ହେଉଛନ୍ତି । ଅତୀତରେ ଦଳ ପକ୍ଷରୁ ତାଙ୍କ ଉପରେ କରାଯାଇଥିବା ବିଶ୍ବାସ ଓ ମିଳିଥିବା ଦାୟିତ୍ବ ପାଇଁ ସେ କୃତଜ୍ଞତା ପ୍ରକାଶ କରିବା ସହ ସୋନିଆ ଗାନ୍ଧୀଙ୍କ ଉତ୍ତମ ସ୍ବାସ୍ଥ୍ୟ ମଧ୍ୟ କାମନା କରିଛନ୍ତି ।