ମୁମ୍ବାଇ:ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହୋଇପାରନ୍ତି । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସ୍ଥାନ ନେଇପାରନ୍ତି ଅମରିନ୍ଦର । ଏଭଳି ଏକ ପ୍ରସ୍ତାବ ଉପରେ ବିଜେପି ନେତୃବୃନ୍ଦ ସହମତ ପ୍ରକାଶ କରିଥିବା କୁହାଯାଉଛି । ତେଣୁ କ୍ୟାପଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହେବା ନେଇ ସମ୍ଭାବନା ରହିଛି ।
ପ୍ରଥମେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଇସ୍ତଫା ଦେବା ପାଇଁ ଗତ ଜାନୁଆରୀ 23 ତାରିଖରେ ଇଚ୍ଛା ପ୍ରକାଶ କରିଥିଲେ । ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଏହାର ମାତ୍ର 5 ଦିନ ପରେ କ୍ୟାପଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ର ରାଜ୍ୟପାଳ ହେବା ନେଇ ଖବର ଆସିଛି । ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ 2021ରେ କଂଗ୍ରେସ ଛାଡିଥିଲେ । ଏହାପରେ ପଞ୍ଜାବ ଲୋକ କଂଗ୍ରେସ ଦଳ ଗଠନ କରିଥିଲେ । 2022 ସେପ୍ଟେମ୍ବରରେ ତାଙ୍କ ଦଳକୁ ବିଜେପିରେ ମିଶ୍ରଣ କରିଥିଲେ । ବର୍ତ୍ତମାନ ସେ ମହାରାଷ୍ଟ୍ର ନୂଆ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । କଳ୍ପନାଜଳ୍ପନା ହେଉଥିଲେ ମଧ୍ୟ ଆନୁଷ୍ଠାନିକ ଭବେ କୌଣସି ସୂଚନା ମିଳି ନଥିବା କହିଛନ୍ତି ଅମରିନ୍ଦରଙ୍କ ନିକଟତର ଲୋକ । ପ୍ରଧାନମନ୍ତ୍ରୀଙ୍କ ସହିତ କ୍ୟାପଟେନଙ୍କର ଭଲ ସମ୍ପର୍କ ରହିଛି । ତେଣୁ ସେ ମହାରାଷ୍ଟ୍ର ରାଜ୍ୟପାଳ ହେବା ନେଇ ଅଧିକ ସମ୍ଭାବନା ରହିଛି ।