ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀ । ଜଣେ ରାଜନେତା । ଓଜସ୍ବୀନି ବକ୍ତା । ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ । ହିନ୍ଦୁସ୍ଥାନର ସଫଳ ପ୍ରଧାନମନ୍ତ୍ରୀ । ୧୯୯୬ରେ ୧୩ ଦିନ, ୧୯୯୮ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।
ସ୍ମୃତିରେ ଅଟଳ; ଆଜି ତୃତୀୟ ଶ୍ରୀଦ୍ଧବାର୍ଷିକୀ, ଦେଶ କରୁଛି ସ୍ମରଣ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟ ପ୍ରଦେଶର ଗ୍ଵାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ବାଜପେୟୀ ପିତା କୃଷ୍ଣବିହାରୀ ବାଜପେୟୀ ଥିଲେ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ବରର ମୂଳନିବାସୀ । ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ । ବାଜପେୟୀ ସ୍ନାତକ ଡିଗ୍ରୀ ଗ୍ବାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନର ଲକ୍ଷ୍ମୀବାଇ କଲେଜ) ରୁ ପ୍ରାପ୍ତ କରିଥିଲେ । ଏମଏ ପରେ ପରେ କାନପୁରରେ ଏଲଏଲବି ପଢିଥିଲେ । ଛାତ୍ର ଜୀବନରୁ ସେ (ଆରଏସଏସ) ରାଷ୍ଟ୍ରୀୟ ସ୍ବୟଂ ସେବକ ସହ ଜଡିତ ହୋଇଥିଲେ ।
1955ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଥିଲେ ଅନ୍ୟତମ । ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପରାମର୍ଶରେ ରାଜନୀତିର ପାଠ ପଢିଥିଲେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ସେ ନ’ ଥର ଲୋକସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇଥିଲେ । ସଂସଦରେ ୫୦ ବର୍ଷରୁ ଅଧିକ ସମୟ ଧରି ସଦସ୍ୟ ଥିଲେ ବାଜପେୟୀ । ବାଜପେୟୀଙ୍କ ଆଉ ଏକ ଦକ୍ଷତା ହେଉଛି ସେ ଏକମାତ୍ର ସାଂସଦ ଯିଏ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ ଓ ଦିଲ୍ଲୀ ଭଳି 4 ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ତେବେ ୧୯୫୫ରେ ପ୍ରଥମଥର ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।
ମୋରାରଜୀ ଦେଶାଇଙ୍କ ସରକାରରେ ବାଜପେୟୀ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ । ବାଜପେୟୀଙ୍କ ଗୋଟିଏ ଚର୍ଚ୍ଚିତ ବକ୍ତବ୍ୟ ଥିଲା ଯାହା ଆଜି ମଧ୍ୟ ବୈଦେଶିକ ମନ୍ତ୍ରଣାଳୟରେ ପ୍ରଚଳିତ ହେଉଛି । ତାହା ହେଉଛି ‘ଆପଣ ଆପଣଙ୍କ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ' । ଏହା ବ୍ୟତୀତ ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ ଯିଏ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତର ଗୌରବ ବଢାଇଥିଲେ ।
୧୯୭୯ ରେ ଜନତାପାର୍ଟି ସରକାର ଭାଙ୍ଗିବା ପରେ ମୂଳ ଜନସଂଘର ନେତାମାନଙ୍କର ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଏହି ଦ୍ବୈତ ସଦସ୍ୟତାକୁ ଦେଇ ବିବାଦ ଉପୁଜିବାରୁ ଅଟଳଙ୍କ ନେତୃତ୍ବରେ ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡଭାନୀ ଓ ବଲରାଜ ମାଧୋକ ପ୍ରମୁଖ ନେତାମାନେ ଜନତାପାର୍ଟିରୁ ଅଲଗା ହୋଇ ଭାରତୀୟ ଜନତା ପାର୍ଟି ଗଠନ କଲେ । ୧୯୮୦ ଏପ୍ରିଲ ୬ ରେ ପ୍ରତିଷ୍ଠା ହୋଇଥିବା ବିଜେପିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ ବାଜପେୟୀ ।
୧୯୯୮ ମେ’ ୧୩ରେ ରାଜସ୍ଥାନ ପୋଖରାନଠାରେ କରାଯାଇଥିବା ‘ଅପରେସନ ଶକ୍ତି' ଥିଲା ବାଜପେୟୀଙ୍କ ବଡ ସଫଳତା । ଫଳରେ ବିଶ୍ବର ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତ ହୋଇଥିଲା ସାମିଲ । ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ ନୀତି ଦେଶର ଶିକ୍ଷା ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ବଡ ବଡ ନିଷ୍ପତ୍ତି ନେଇଥିଲେ । ୧୯୯୯ରେ କାରଗିଲ ଯୁଦ୍ଧ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳରେ ହୋଇଥିଲା । ଯାହା ବାଜପେୟୀଙ୍କୁ କିଛିମାତ୍ରାରେ ଚିନ୍ତାରେ ପକାଇଥିଲା ।
୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନ ଦେଇ ଏନଡିଏର ନେତୃତ୍ବ ନେଇଥିଲେ । କିନ୍ତୁ ଦଳ ନିର୍ବାଚନରେ ପରାଜୟ ବରଣ କରିଥିଲା । ଏହାପରେ ଭାରତୀୟ ରାଜନୀତି ଆକାଶରୁ ଏକ ଜାଜ୍ଜୁଲ୍ୟମାନ ତାରକାଙ୍କ ଖସିବା ଆରମ୍ଭ ହୋଇଥିଲା । ଶାରୀରିକ ଅସୁସ୍ଥତା ବୟସାଧିକ କାରଣ ପାଇଁ ଅଟଳଙ୍କ ରାଜନୀତି ଅସ୍ତଗାମୀ ହେବାରେ ଲାଗିଲା । ଫଳରେ ବାଜପେୟୀ ଧୀରେ ଧୀରେ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିଥିଲେ ।
ଭାରତୀୟ ରାଜନୀତିର ଏହି କାଳଜୟୀ ଅଜାତଶତ୍ରୁ ରାଜନେତାଙ୍କ ଦେଶପ୍ରତି ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ୨୦୧୪ ଡିସେମ୍ବର ୨୫ ତାଙ୍କ ଜନ୍ମ ଜୟନ୍ତୀକୁ ସୁ-ଶାସନ ଦିବସ ଭାବେ ପାଳନ କରୁଛନ୍ତି । ଏହାସହ ତାଙ୍କ ଦେଶପ୍ରତି ସେବା ସମର୍ପଣ ଓ ନିଷ୍ଠା ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରିଛନ୍ତି । ଏହି ରାଷ୍ଟ୍ରନେତା ଗତ 2018 ମସିହା ଅଗଷ୍ଟ 16 ତଥା ଆଜିର ଦିନରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ଅଟଳ ନାହାଁନ୍ତି ସତ । କିନ୍ତୁ ତାଙ୍କ ପ୍ରେରଣା, ଦେଇଯାଇଥିବା ରାଷ୍ଟ୍ରନୀତିକୁ ଦେଶ ଗ୍ରହଣ କରି ନୂଆ ଭାରତ ନିର୍ମାଣ କରୁଛି । ଅଟଳଙ୍କ ଆଶୀର୍ବାଦ, ପ୍ରେରଣା ସବୁବେଳେ ଏ ଦେଶପ୍ରତି ରହିଛି ରହିଥିବା । ଆଜି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀରେ କୋଟି କୋଟି ପ୍ରଣାମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ