ରାୟପୁର:କୋରୋନା ମହାମାରୀ କବଳରେ ସାରା ଦେଶ । ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି କୋରୋନା । ଏଥିରୁ ବର୍ତ୍ତି ପାରିନାହାନ୍ତି ବିଶିଷ୍ଟ ବ୍ୟକ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଣିଜୀ ତଥା କଂଗ୍ରେସ ନେତ୍ରୀ କରୁଣା ଶୁକ୍ଳାଙ୍କ କୋରୋନାରେ ଗତ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ତେବେ ସେ ଛତିଶଗଡ଼ର ରାଜଧାନୀ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
କରୁଣା ଶୁକ୍ଳାଙ୍କ ଅନ୍ତିମ ସଂସ୍କାର ବଲୌଦାବାଜାରଠାରେ ହେବ । ତାଙ୍କ ମୃତ୍ୟୁରେ ସିଏମ ଭୂପେଶ ବଘେଲ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି । ସିଏମ ଭୂପେଶ ନିଜ ଟ୍ବିଟରେ ଲେଖିଛନ୍ତି ଯେ, 'ମୋର କରୁଣା ଚାଚି ଅର୍ଥାତ କରୁଣା ଶୁକ୍ଳା ଆଉ ନାହାଁନ୍ତି । ନିର୍ଦ୍ଦୟ କୋରୋନା ତାଙ୍କୁ ମଧ୍ୟ ନେଇଗଲା । ରାଜନୀତି ବ୍ୟତୀତ କରୁଣାଙ୍କ ସହତ ତାଙ୍କର ଅତ୍ୟନ୍ତ ଘନିଷ୍ଠ ପାରିବାରିକ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି । ଭଗବାନ ତାଙ୍କର ଆତ୍ମାକୁ ନିଜ ପାଦରେ ସ୍ଥାନ ଦିଅନ୍ତୁ ବୋଲି ସେ ଟ୍ବିଟ କରି କହିଛନ୍ତି ।