ଥିରୁଅନନ୍ତପୁରମ:କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମ୍ମେନ ଚାଣ୍ଡିଙ୍କର ଦେହାନ୍ତ ହୋଇଛି । 79 ବର୍ଷ ବୟସରେ ବେଙ୍ଗାଲୁରୁରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ପିଲର ଓମ୍ମେନ ଚାଣ୍ଡି । ଗତ ଅକ୍ଟୋବର ମାସରେ ସେ ବର୍ଲିନର ଚାରିଟି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ରବିବାର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏୟାରଲିଫ୍ଟ କରିଯାଇଥିଲା ଆଜି ତାଙ୍କର ଦେହାନ୍ତ ହୋଇଛି । ଓମ୍ମେନ ଚାଣ୍ଡିଙ୍କ ବିୟୋଗ ନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ସମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଅପ୍ପା ଆଉ ନାହାନ୍ତି ବୋଲି ଜଣାଇଛନ୍ତି ଓମ୍ମେନ ଚାଣ୍ଡିଙ୍କ ପୁଅ । କେରଳରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ନେଇ ଘୋଷଣା କରିଛନ୍ତି କେରଳ ସରକାର ।
ଓମ୍ମେନ ଚାଣ୍ଡି ଦୁଇ ଥର କେରଳ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିଥିଲେ । ଆଜି ବେଙ୍ଗାଲୁରୁର ଇନ୍ଦିରା ନଗରରେ ଥିବା ଚିନ୍ମୟ ମିଶନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଛି । ଉତ୍ତମ ଚିକିତ୍ସା ପାଇଁ ସେ ବେଙ୍ଗାଲୁୁରୁରେ ଥିଲେ । ଓମ୍ମେନ ଚାଣ୍ଡିଙ୍କ ପରଲୋକ ନେଇ କେରଳ କଂଗ୍ରେସ ସଭାପତି କେ ସୁଧାକରଣ ଟ୍ବିଟ୍ କରି ସୂଚନା ଦେବା ସହ ଶୋକ ପ୍ରକାଶ କରିଛନ୍ତି । ଓମ୍ମେନ ଚାଣ୍ଡିଙ୍କ ବିୟୋଗରେ ପରିବାର ସହିତ ସମଗ୍ର କେରଳବାସୀ ଶୋକରେ ବୁଡିଛନ୍ତି ।
ଆଉ ନାହାନ୍ତି ଓମ୍ମେନ ଚାଣ୍ଡି:କେରଳର କୋଟାୟମ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଓମ୍ମେନ ଚାଣ୍ଡି । ପୁଥୁପ୍ପାଲି ସେଣ୍ଟ୍ ଜର୍ଜ ହାଇସ୍କୁଲରେ ପଢ଼ିଥିଲେ । କୋଟାୟମରୁ କଲେଜ ଶିକ୍ଷା ପରେ ଏର୍ଣ୍ଣାକୁଲମ ସରକାରୀ ଲ' କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । କେରଳ ଛାତ୍ର ସଂଘ ଜରିଆରେ ରାଜନୀତି ଜୀବନ ଆରମ୍ଭ କରିଥିଲେ । 1967ରୁ 1970 ଯାଏଁ ସେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିଲେ । 1970 ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ବିଜୟ ହାସଲ କରିଥିଲେ ଏହି ବରିଷ୍ଠ କଂଗ୍ରେସ ନେତା ।
ଏହା ବି ପଢନ୍ତୁ...ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ରତନଲାଲ କଟାରିଆ, ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶୋକ