ବେଙ୍ଗାଲୁର:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିକଟତର ହେଉଥିବା ଭିତରେ ବିଜେପିକୁ ଶକ୍ତ ଝଟକା ଲାଗିଛି । କର୍ଣ୍ଣାଟକ ନିର୍ବାଚନ ବିଗୁଲ ବାଜିବା ପରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଛି । ନିର୍ବାଚନକୁ ଆଉ ମାତ୍ର 24 ଦିନ ବାକି ଥିବା ବେଳେ ବିଜେପି କ୍ୟାମ୍ପ ଖାଲି ହେବାକୁ ଲାଗିଛି । ଗତକାଲି (ରବିବାର) ବିଜେପିରୁ ଇସ୍ତଫା ଦେଇଥିବା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହାତ ଧରିଛନ୍ତି । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ଜଗଦୀଶ ଶେଟ୍ଟାର । ବଡ ବଡ ନେତା ବିଜେପି ଛାଡି କଂଗ୍ରେସରେ ମିଶିବା ଦଳ ପାଇଁ ବଳ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି । ବେଙ୍ଗାଲୁରୁ କଂଗ୍ରେସ ମୁଖ୍ୟାଳୟରେ ଏହି ମିଶ୍ରଣ ପର୍ବ ହୋଇଛି ।
ହାତ ଧରିବା ପରେ ପ୍ରତିକ୍ରିୟାରେ ଜଗଦୀଶ ଶେଟ୍ଟାର କହିଛନ୍ତି, ''ଗତକାଲି ମୁଁ ବିଜେପି ଛାଡିଥିଲି ଆଜି କଂଗ୍ରେସରେ ଯୋଗ ଦେଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ମୋତେ ପ୍ରତ୍ୟେକ ପଦବୀ ଦେଇଛି । ଜଣେ ଦଳୀୟ କର୍ମୀ ଭାବରେ ଦଳକୁ ସୃଦୁଢ କରିବାକୁ ସର୍ବଦା କାର୍ଯ୍ୟ କରିଛି । ବରିଷ୍ଠ ନେତା ହିସାବରେ ମୁଁ ଭାବିଥିଲି ଟିକେଟ୍ ପାଇବି । ଯେବେ ଜାଣିବାକୁ ପାଇଲି ମୋତେ ଟିକେଟ ମିଳିନାହିଁ । ମୁଁ ଆଶ୍ଟର୍ଯ୍ୟ ହୋଇଗଲି । କେହି ମୋ ସହ ଆଲୋଚନା କଲେ ନାହିଁ କି ମୋତେ ବୁଝାଇବାକୁ ଚେଷ୍ଟା କଲେ ନାହିଁ । ମୁଁ ହୃଦୟର ସହ କଂଗ୍ରେସରେ ଯୋଗ ଦେଉଛି । ମୁଁ କଂଗ୍ରେସ ନେତାଙ୍କ ସହ କଥା ହୋଇଥିଲି ସେମାନେ ମୋତେ ନିମନ୍ତ୍ରଣ କରିଥିଲେ ଏହା ପରେ ଗୋଟିଏ ସେକେଣ୍ଡ ନ ଭାବି ଦଳରେ ସାମିଲ ହୋଇଛି । ''
ଜଗଦୀଶଙ୍କ କଂଗ୍ରେସରେ ମିଶିବା ନେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ''ଜଗଦୀଶଙ୍କ ବିଷୟରେ ବେଶୀ କିଛି ପରିଚୟ ଦେବାର ଆବଶ୍ୟକ ନାହିଁ । ତାଙ୍କ ଯୋଗଦାନ ଦଳକୁ ବଳ ଦେବ । ସେ ଏମିତି ଜଣେ ବ୍ୟକ୍ତି ଯିଏକି ଏକା ଜିତନ୍ତି ନାହିଁ ତାଙ୍କ ପାଖରେ ଅଧିକ ଆସନରେ ଜିତିବାର କ୍ଷମତା ରହିଛି । ଆରଏସଏସ ଓ ଜନ ସଂଘରେ ଥିବାବେଳେ ସେ ବିବାଦମୁକ୍ତ ବ୍ୟକ୍ତିତ୍ବ ଥିଲେ । ଆମେ ଏକାଠି କାମ କରିବୁ । ଜଗଦୀଶଙ୍କ ଯୋଗଦାନ ପରେ ଆମ ଟାର୍ଗେଟ 150 ନିଶ୍ଚିନ୍ତ ହୋଇଛି ଆମେ ନିଶ୍ଚିନ୍ତ ଲକ୍ଷ୍ୟ ହାସଲ କରିବୁ ।''