ବେଙ୍ଗାଲୁରୁ:MD ଓ CEO ଙ୍କୁ ହତ୍ୟା କଲା କମ୍ପାନୀରେ କାର୍ଯ୍ୟ କରିଥିବା ଜଣେ ପୂର୍ବତନ କର୍ମଚାରୀ । ଏପରି ଏକ ଅଭିଯୋଗ ବେଙ୍ଗାଲୁରୁରୁ ଆସିଛି । ଜଣେ ପୂର୍ବତନ କର୍ମଚାରୀଙ୍କ ଦ୍ୱାରା କମ୍ପାନୀର ଉଭୟ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହତ୍ୟା ହୋଇଥିବା ସୂଚନା ମିଳିଛି । ମୃତକଙ୍କ ନାମ ଫନୀନ୍ଦ୍ର ସୁବ୍ରମଣ୍ୟମ ଏବଂ ବିନୁ କୁମାର ବୋଲି ଜଣାପଡିଛି । ସହରର ଅମ୍ରିତହାଲିର ପାମା କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ପୋଲିସ ପହଞ୍ଚି ଉଭୟ ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସର ପ୍ରାଥମିକ ସୂଚନା ଅନୁସାରେ ହତ୍ୟାର ଶିକାର ହୋଇଥିବା ଫନିନ୍ଦ୍ର ସୁବ୍ରମଣ୍ୟମ ଏବଂ ବିନୁ କୁମାର ଏରୋନିକ୍ସ ‘ମିଡିଆ ପ୍ରାଇଭେଟ ଲିମିଟେଡ’ ନାମକ ଏକ କମ୍ପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ଏହି ଡବଲ ମର୍ଡର ଘଟାଇଥିବା ଫେଲିକ୍ସ ନାମକ ଅଭିଯୁକ୍ତ ଏହି କମ୍ପାନୀରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ପରେ ଏହି ଅଭିଯୁକ୍ତ ଜଣଙ୍କ କମ୍ପାନୀରେ କାମ ଛାଡି ନିଜେ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲା । ତାଙ୍କ ବ୍ୟବସାୟରେ ବାଧା ସୃଷ୍ଟି କରୁଥିବାରୁ ଫେଲିକ୍ସ ଉଭୟଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ବୋଲି ଜଣାପଡିଛି ।