ଜୟପୁର:ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଶାସନରେ ଥିବା କଂଗ୍ରେସର ଅନ୍ତଃକନ୍ଦଳ କିନ୍ତୁ ହ୍ରାସ ପାଇବା ପରିବର୍ତ୍ତେ ଅଧିକ ଘନୀଭୂତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ଦଳର ଯୁବନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ଠାରୁ ଆଜମେରରୁ ଜନସଂଘର୍ଷ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ପାଇଲଟ ରାଜ୍ୟରେ ଦୁର୍ନୀତି ଏବଂ ପେପର-ଲିକ୍ ମାମଲାକୁ ନେଇ ଏକ ସାଧାରଣ ସଭାରେ ନାଁ ନନେଇ ଗେହେଲୋଟଙ୍କ ସରକାର ଉପରେ ବର୍ଷିଥିଲେ ।
ସେ ଆରମ୍ଭ କରିଥିବା ପଦଯାତ୍ରାର ଆଭିମୁଖ୍ୟ ସ୍ପଷ୍ଟ କରି ପାଇଲଟ୍ କହିଛନ୍ତି, ଏହି ଯାତ୍ରା କାହା ବିରୁଦ୍ଧରେ ନୁହେଁ, ଏହା ରାଜ୍ୟର ଦୁର୍ନୀତି ଏବଂ ପେପର ଲିକ ବିରୋଧରେ ଏହା ଏକ ଜନ ଆନ୍ଦୋଳନ । ଏହି ଯାତ୍ରାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ବ୍ୟବସ୍ଥାରେ ସୁଧାର ଆଣିବା । ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ଦୂର କରିବା ଓ ଏହାକୁ ଆହୁରି ପ୍ରଭାବଶାଳୀ କରିବା । ହେଲେ ଏହି ଉତ୍ତର ରାଜନୈତିକ ସମୀକ୍ଷକଙ୍କୁ ଶାନ୍ତ କରିପାରିନାହିଁ । ଲଗାତର ମୁଖ୍ୟମନ୍ତ୍ରୀ ଗେହେଲୋଟ ଓ ପାଇଲଟଙ୍କ ମଧ୍ୟରେ ପରୋକ୍ଷ ବାକଯୁଦ୍ଧ ଜାରି ରହିଛି । ପରିସ୍ପରର ନାମ ନନେଇ ଏକାଧିକ ଅଭିଯୋଗ କରିବାରେ ଲାଗିଛନ୍ତି ଉଭୟ । ଏହାରି ମଧ୍ୟରେ ପାଇଲଟ ଏବେ ପଦଯାତ୍ରାର ମାର୍ଗ ବାଛିଛନ୍ତି ।