ଭୋପାଳ:ମଧ୍ୟପ୍ରଦେଶରେ ମହିଳାମାନଙ୍କ ସମ୍ମାନ ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ପାଇଁ ପୁଣି ଥରେ ହାତରେ ବନ୍ଧୁକ ଧରିବା କଥା କହିଛନ୍ତି ଚମ୍ବଲର ଡକାୟତ କୁହାଯାଉଥିବା ମଲଖାନ ସିଂ । ଏବେ ମଲକାନ ସିଂ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ ପାର୍ଟିରେ ସାମିଲ ହେବା ପରେ ମିଡିଆ ସାମ୍ନାରେ ଏକ ବୟାନ ଦେଇଛନ୍ତି ।
ମଲଖାନଙ୍କ କହିବା ଅନୁସାରେ, ଆଜି ଦେଶର ମଧ୍ୟପ୍ରଦେଶରେ ମହିଳାମାନଙ୍କ ପ୍ରତି ସବୁଠାରୁ ଅଧିକ ଅପରାଧ ବଢ଼ି ଚାଲିଛି । ଏହାସହ ଝିଅ ପିଲାମାନେ ସ୍କୁଲ୍ ଓ କଲେଜ ଯିବା ପାଇଁ ଡରୁଛନ୍ତି । ଦିନକୁ ଦିନ ରାଜ୍ୟରେ ଦୁଷ୍କର୍ମ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଏହାସହ ରାଜ୍ୟରେ ସେ ଏଭଳି ଘଟଣା ଘଟିବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ବର୍ତ୍ତମାନ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ଏବଂ ଏଥର ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ସରକାର ଗଠନ ପରେ କମଲନାଥ ଭୋପାଳରେ କାର୍ଯ୍ୟ ସମ୍ଭାଳିବା ବେଳେ ସେ ନିଜେ ହାତରେ ହତିଆର ଧରି ସମସ୍ତ ମାଆ ଭଉଣୀମାନଙ୍କୁ ରକ୍ଷା କରିବେ ଏବଂ କାହାର ଉଜ୍ଜତ ଉପରେ ଆଞ୍ଚ୍ ଆସିବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ମଲଖାନ ଆହୁରି କହିଛନ୍ତି,"ମୁଁ ଯେତେବେଳେ ଡକାୟତି କରୁଥିଲି ସେତେବେଳେ ୧୫ ବର୍ଷ ଭିତରେ କୌଣସି ମହିଳାଙ୍କ ସହ ଅସଦାଚରଣ ହୋଇନଥିଲା । ଯଦି କୌଣସି ବ୍ୟକ୍ତି ମହିଳାଙ୍କୁ ଅସଦାଚାରଣ କିମ୍ବା ଦୁଷ୍କର୍ମ କରନ୍ତି ତେବେ ସେମାନଙ୍କ ହାତ କାଟିହେବା ପାଇଁ ସମସ୍ତଙ୍କୁ ଚେତାବନୀ ଦେଇଥିଲି ।"