ଅମରାବତି:ବହୁଚର୍ଚ୍ଚିତ ଦକ୍ଷତା ବିକାଶ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି ଜେଲରୁ ମୁକ୍ତ ହୋଇଛନ୍ତି । ପୂର୍ବାହ୍ନରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ 4 ସପ୍ତାହ ଅବଧି ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିବା ପରେ ଅପରାହ୍ନରେ ସେ ରାଜମହେନ୍ଦ୍ରୀ କେନ୍ଦ୍ରୀୟ କାରାଗାରରୁ ମୁକ୍ତ ହୋଇଛନ୍ତି । ହଜାର ହଜାର ସମର୍ଥକ ତାଙ୍କୁ ସ୍ବାଗତ କରିବା ପାଇଁ ଜେଲ ବାହାରେ ରୁଣ୍ଡ ହୋଇଥିଲେ । ମୁକ୍ତ ହେବା ପରେ ଚନ୍ଦ୍ରବାବୁ ସମର୍ଥକଙ୍କ ଗହଣରେ ଚାଲି ଚାଲି ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।
ଆଜି ପୂର୍ବାହ୍ନରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ବସ୍ତି ମିଳିଥିଲା । ଦକ୍ଷତା ବିକାଶ ମାମଲାରେ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଚାରି ସପ୍ତାହ ପାଇଁ ଅନ୍ତରୀଣ ଜାମିନରେ ସେ ଜେଲରୁ ମୁକ୍ତ ହୋଇଛନ୍ତି । ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ମୋତିଆବିନ୍ଦୁ ଅସ୍ତ୍ରୋପଚାର ଆବଶ୍ୟକତା ବିଷୟରେ ତାଙ୍କ ଓକିଲ କୋର୍ଟରେ ଯୁକ୍ତି ଓ ତଥ୍ୟ ଉପସ୍ଥାପନା କରିଥିଲେ । ନଭେମ୍ବର 28 ତାରିଖ ସୁଦ୍ଧା ସେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ହାଜର ହେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।