ଓଡିଶା

odisha

ETV Bharat / bharat

ଦିନେ ହାତରେ ଥିଲା ଦେଶର ଅର୍ଥ ବ୍ୟବସ୍ଥା, ଏବେ କାର ଡ୍ରାଇଭର - ତାଲିବାନ ନିୟନ୍ତ୍ରଣ ପରେ ଆଫଗାନ ନେତାଙ୍କ ସ୍ଥିତି

ଆଫଗାନିସ୍ତାନ ଆତଙ୍କୀ ସଂଗଠନ ତାଲିବାନ ହାତକୁ ଆସିବା ପରେ ବଦଳିଯାଇଛି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଭାଗ୍ୟ । ଦିନେ ତାଙ୍କ ହାତରେ ଦେଶର ଅର୍ଥନୀତିର ଚାବିକାଠି ଥିବା ବେଳେ ଆଜି ରହିଛି Uber କାରର ଚାବି । କାରଣ ସମୟ ଚକ୍ରରେ ସେ ଅର୍ଥମନ୍ତ୍ରୀରୁ ହୋଇଯାଇଛନ୍ତି କାର ଡ୍ରାଇଭର । ଅଧିକ ପଢନ୍ତୁ

Afghanistan's Former Finance Minister Life: ଦିନେ ଚଲାଉଥିଲେ ଦେଶ, ଆଜି ଚଲାଉଛନ୍ତି UBER କାର
Afghanistan's Former Finance Minister Life: ଦିନେ ଚଲାଉଥିଲେ ଦେଶ, ଆଜି ଚଲାଉଛନ୍ତି UBER କାର

By

Published : Mar 21, 2022, 7:54 PM IST

ନୂଆଦିଲ୍ଲୀ:ସତରେ ସମୟ ଭାରି ବଳବାନ । ଦୁର୍ଦ୍ଦିନ ସମୟ କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ତାହା କହିବା ନିହାତି ଅସମ୍ଭବ । ଦିନେ ଦେଶକୁ ଚଲାଉଥିବା ଅର୍ଥମନ୍ତ୍ରୀ ଆଜି ଚଲାଉଛନ୍ତି କାର । ଲକ୍ଷ ଲକ୍ଷ ଲୋକଙ୍କୁ ଶାସନ କରୁଥିବା ବ୍ୟକ୍ତି ଆଜି ହୋଇଛନ୍ତି ହାତଗଣତି କେତୋଟି ଯାତ୍ରୀଙ୍କ ସାରଥୀ । ଏଠାରେ ଆମେ ଯାହା ବିଷୟରେ ଆଲୋଚନା କରୁଛୁ ସେ ହେଉଛନ୍ତି ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଖଲିଦ ପାୟେଣ୍ଡା । ଯିଏକି ଆଜି ସାଜିଛନ୍ତି Uber କାର ଡ୍ରାଇଭର । ଆତଙ୍କବାଦୀ ସଂଗଠନ ତାଲିବାନ ଦେଶକୁ ଅକ୍ତିଆର କରିବା ପରେ ପଳାୟନ କରିଥିବା ପାୟେଣ୍ଡା ଆଜି ପେଟ ପାଟଣା ପାଇଁ ଚଲାଉଛନ୍ତି କାର ।

ଦିନେ ସେ ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଭାବେ ୬ ବିଲିଅନ ଡଲାର ବଜେଟର କାରବାର କରୁଥିଲେ । ହେଲେ ଆଜି ପରିବାର ପ୍ରତିପୋଷଣ ପାଇଁ ଦିନାସାରା କାର ଚଲାଉଥିଲେ ମଧ୍ୟ ମିଳୁଛି ମାତ୍ର ୧୫୦ ଡଲାର । ସେ ଆମେରିକା ୱାଶିଂଟନରେ କାର ଡ୍ରାଇଭର ଭାବେ ନଜର ଆସିଛନ୍ତି । ଆଫଗାନିସ୍ତାନ ଏବେ ରହିଛି ତାଲିବାନ ସରକାରର କବଳରେ । ଏହି ଆତଙ୍କବାଦୀ ସଂଗଠନ ବନ୍ଧୁକ ମୁନରେ ଦେଶକୁ ଅକ୍ତିଆର କରିବା ପରେ ଏବେ ଏଠାରେ କରୁଛନ୍ତି ରାଜ୍‌ ।

ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିୟନ୍ତ୍ରଣରେ ନେବା ପରେ ପାୟେଣ୍ଡା ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏ ନେଇ ସେ ଟ୍ବିଟ କରି ସୂଚନା ଦେଇଥିଲେ । ତେବେ ଆଫଗାନିସ୍ତାନର ଅର୍ଥମନ୍ତ୍ରୀ ଭାବେ ପାଇଥିବା ଦାୟିତ୍ବ ତାଙ୍କ ପାଇଁ ସର୍ବଦା ଏକ ସମ୍ମାନଜନକ ଉପଲବ୍ଧି ରହିବ ବୋଲି ସେ କହିଥିଲେ । ଏହାପରେ ତାଲିବାନ ସରକାରର ଗିରଫ ଭୟରେ ସେ ଆଫଗାନିସ୍ତାନ ଛାଡ଼ି ଆମେରିକାକୁ ଚାଲି ଆସିଥିଲେ । ଏଠାରେ ଆସି ସେ ଟ୍ରାନ୍ସପୋର୍ଟ ସେବା ଯୋଗାଉଥିବା କମ୍ପାନୀ Uber ର ଡ୍ରାଇଭର ଭାବେ କାର୍ଯ୍ୟ କୁରଛନ୍ତି ।

ତେବେ The Washington Post ସହ ଇଣ୍ଟରଭ୍ୟୁ ବେଳେ ପାୟେଣ୍ଡା କହିଛନ୍ତି ଯେ ସେ ପରିସ୍ଥିତି ସହ ଖାପଖୁଆଇବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଯେକୌଣସି ମତେ ସେ ନିଜ ପରିବାରକୁ ପ୍ରତିପୋଷଣ କରିପାରୁଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । ଏହାସହିତ ସେ ଆଫଗାନିସ୍ତାନର ବର୍ତ୍ତମାନର ପରିସ୍ଥିତି ପାଇଁ ଆମେରିକା ସରକାରକୁ ଦାୟୀ କରିଛନ୍ତି । ଆମେରିକା ନିଜ ସେନା ପ୍ରତ୍ୟାହାର କରିଥିବା ଯୋଗୁଁ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେବାରେ ସକ୍ଷମ ହେଲା ବୋଲି ସେ କହିଛନ୍ତି ।

ଯେତେବେଳେ ତାଲିବାନମାନେ ଦେଶର ରାଜଧାନୀ କାବୁଲକୁ ଅକ୍ତିଆରକୁ ନେଇଥିଲେ ସେତେବେଳେ ଟ୍ବିଟ କରି ପାୟେଣ୍ଡି କହିଥିଲେ ଯେ ଆମ ନିକଟରେ ୨୦ ବର୍ଷ ସମୟ ରହିଥିଲା । ଏହି ସମୟ ମଧ୍ୟରେ ବିଶ୍ବର ସହାୟତା ଯୋଗୁଁ ଏକ ନୂତନ ବ୍ୟବସ୍ଥା ତିଆରି ହୋଇଥିଲା ଯାହାକି ଲୋକଙ୍କ ପାଇଁ କାମ କରୁଥିଲା । ଯାହା ବି ନିର୍ମାଣ ହୋଇଥିଲା ତାହା ଏବେ ଦ୍ରୁତ ଗତିରେ ଭାଙ୍ଗିବାକୁ ଯାଉଛି । ଏବେ ଏଠାରେ ଦୁର୍ନୀତିର ମୂଳଦୁଆ ପଡ଼ିବାକୁ ଯାଉଛି ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details