ଭୋପାଳ: ରାଣୀ ଅବନ୍ତି ବାଈ । ନାରୀ ସଶକ୍ତିକରଣର ଉଦାହରଣ ସାଜିଛନ୍ତି ଏହି ବୀରାଙ୍ଗନା । ରାଜ୍ୟକୁ ଗୋରା ସରକାର ଠୁ ରକ୍ଷା କରିବା ପାଇଁ ସେ ଦିନେ ଏକାକୀ ଖଣ୍ଡା ଧରି ଡେଇଁଥିଲେ ଗୋରା ସେନା ଆଗରେ । ଆଉ ସାରା ଦେଶରେ ପ୍ରଥମ କରି ବଜାଇଥିଲେ ସ୍ବାଧୀନତାର ବିଗୁଲ । ରାଣୀ ଏକ ଏମିତି ଯୋଦ୍ଧା ଥିଲେ, ଯିଏକି ସ୍ବାଧୀନତାର ୧୦୦ ବର୍ଷ ପୂର୍ବରୁ ସ୍ବାଧୀନତାର ଆଶା ଉଜ୍ଜୀବିତ କରିଥିଲେ ଦେଶବାସୀଙ୍କ ମନରେ । ଆଜି ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ମନେ ପଡ଼ିଯାଉଛି ଏହି ବୀରାଙ୍ଗନାଙ୍କ ବଳିଦାନ ।
ମଧ୍ୟପ୍ରଦେଶର ମଣ୍ଡଲା ଶିବନୀ ଜିଲ୍ଲାରେ 1831 ମସିହା ଅଗଷ୍ଟ 16 ତାରିଖରେ ଜନ୍ମ ନେଇଥିଲେ । ମନକହଣି ଗାଁର ଜମି ମାଲିକ ରାଓ ଜୁହାର ସିଂଙ୍କ ଘରେ ଜନ୍ମ ହୋଇଥିଲ, ଆଉ ତାଙ୍କର ନାମ ରଖାଯାଇଥିଲା ଅବନ୍ତି ବାଈ । ଜମିଦାର ଗାଁରେ ହିଁ ଅବନ୍ତି ବାଈଙ୍କ ଶିକ୍ଷାର ଆରମ୍ଭ ସହିତ, ତାଙ୍କୁ ଘୋଡା ଚଢିବା, ଖଣ୍ଡା ଚାଳନା ଆଦି ଶିଖାଇଥିଲେ । ଅବନ୍ତି ବାଈଙ୍କ ଏହି ବାହାଦୂରୀ ଧୀରେ ଧୀରେ ଚାରିଆଡ଼େ ବିସ୍ତାର ହେବାରେ ଲାଗିଥିଲା । ସେ ବଡ଼ ହେବା ପରେ ତାଙ୍କ ପିତା ବିବାହକୁ ନେଇ ଚିନ୍ତିତ ଥିଲେ । ୧୮୪୮ ମସିହାରେ ରାମଗଡ଼ ରାଜକୁମାରଙ୍କୁ ସେ ବିବାହ କରିଥିଲେ । ଆଉ ରାମଗଡ଼ର ବନିଥିଲେ କୂଳ ବୋହୂ ।
ରାମଗଡ଼ର କୂଳ ବୋହୂ ହେଲେ ରାଣୀ ଅବନ୍ତି ବାଈ:-
୧୮୫୧ ମସିହାରେ ରାମଗଡ଼ ସାମ୍ରାଜ୍ୟର ରାଜା ତଥା ବୀରାଙ୍ଗନା ଅବନ୍ତି ବାଈଙ୍କ ଶ୍ବଶୁର ଲକ୍ଷ୍ମ ସିଂହ ମୃତ୍ୟୁ ପରେ ତାଙ୍କ ସ୍ବାମୀ ତଥା ରାଜକୁମାର ବିକ୍ରମାଜିତ ସିଂ ହୋଇଥିଲେ ରାମଗଡ଼ର ରାଜା । ଏହାରି ମଧ୍ୟରେ ରାଣୀ ୨ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ । ଯାହାଙ୍କ ନାମ ରଖାଗଲା ଅମାନ ସିଂ ଓ ଶେର ସିଂ । ପରିବାରରେ ଖୁସିର ମାହୋଲ ଆରମ୍ଭ ହେବା ଆଗରୁ ରାଜା ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ । ଏହି ସମୟରେ ତାଙ୍କ ୨ ପୁଅ ବହୁତ ଛୋଟ ଥିଲେ । ଏଣୁ ରାଜ୍ୟଭାର ଆସିଲା ରାଣୀ ଅବନ୍ତିଙ୍କ କାନ୍ଧରେ । ରାଜାଙ୍କ ଏହି ଅକାଳ ବିୟୋଗର ସୁଯୋଗ ନେବାକୁ ଆଗେଇ ଆସିଲା ଗୋରା ସରକାର । ଆଉ ରାମଗଡ଼ରେ ଲାଗୁ କଲା 'କୋର୍ଟ ଅଫ୍ ୱାର୍ଡସ' ।
କୋର୍ଟ ଅଫ୍ ୱାର୍ଡସ କ'ଣ ?
ଲର୍ଡ ଡଲହୋଜି ଯେକୌଣସି ସ୍ଥିତିରେ ବ୍ରିଟିଶ ଶାସନକୁ ବିସ୍ତାର କରିବାକୁ ଚାହୁଁଥିଲେ । ଏପରି ପରିସ୍ଥିତିରେ ତାଙ୍କହଡପ ନୀତିରେ ଏକ ଆଇନ ତିଆରି ହୋଇଥିଲା । ଏହି ଆଇନ ଅନୁସାରେ ଯେଉଁ ରାଜ୍ୟର ରାଜା ଶାସନ କରିବାକୁ ଅସମର୍ଥ, ଯେଉଁ ରାଜ୍ୟର ରାଜାଙ୍କ ମୃତ୍ୟୁ ଘଟିଥିବ, ଯେଉଁ ରାଜ୍ୟର ରାଜାଙ୍କ ଉତ୍ତରାଧିକାରୀ କିମ୍ବା ନାବାଳକ ନଥିବ ଏଭଳି ପରିସ୍ଥିତିରେ ଇଂରେଜ ସରକାର କୋର୍ଟ ଅଫ୍ ୱାର୍ଡ୍ସ ଲାଗୁ କରୁଥିଲେ । ଏହି ଆଇନ ଅନୁସାରେ ସେମାନେ ରାମଗଡ଼ ଉପରେ କବଜା କରିଥିଲେ ।
ରାଣୀ ଅବନ୍ତି ବାଈଙ୍କ ଗୁପ୍ତ ସମ୍ମିଳନୀ: -
କୋର୍ଟ ଅଫ ୱାର୍ଡସ ଲାଗୁ କରି ବ୍ରିଟିଶମାନେ ସମ୍ପୂର୍ଣ୍ଣ ଭାବରେ ରାମଗଡ଼ ଉପରେ କବଜା କରିଥିଲେ । ବ୍ରିଟିଶଙ୍କ କବଳରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ରାଣୀ ପଣ କଲେ । ଏଥଲାଗି ସେ ୧୮୫୭ ମସିହାରେ ଗୁପ୍ତ ସମ୍ମିଳନୀ ଡାକିଥିଲେ । ଯେଉଁଥିରେ ପ୍ରାୟ ୩୦୦ ରାଜା, ଜମିଦାର ଓ ଅନ୍ୟ କୂଟନୈତିଜ୍ଞ ଯୋଗ ଦେଇଥିଲେ । ୧୮୫୭ ମସିହାରେ ସ୍ବାଧୀନତାର ବିଗୁଲ ବଜାଇଥିଲେ ରାଣୀ । ସେ ନିଜ ଆଖପାଖର ରାଜା ଓ ଜମିଦାରଙ୍କୁ ଯୁଦ୍ଧ ପାଇଁ ଚିଠି ସହିତ ଚୁଡ଼ି ପଠାଇଥିଲେ । ସ୍ବାଧୀନତା ପାଇଁ ଯୁଦ୍ଧ କର ନଚେତ ଚୁଡ଼ି ପିନ୍ଧି ଘରେ ବସିବାକୁ ରାଣୀ ଚିଠିରେ ଉଲ୍ଲେଖ କରିଥିଲେ ।