ପାଟନା:ବିହାରରେ 4 ଜଣ ବିଦେଶୀ କୋରୋନା ସଂକ୍ରମିତ(foreigners infected with Covid) ହୋଇଛନ୍ତି । ଚାରି ଜଣଙ୍କ ମଧ୍ୟରୁ ଜଣେ ଥାଇଲାଣ୍ଡ, ଦୁଇ ଜଣ ଇଂଲଣ୍ଡ ଏବଂ ଜଣେ ମିଆଁମାରରୁ ଆସିଥିବା ଜଣାପଡ଼ିଛି । ସଂକ୍ରମିତ ଚିହ୍ନଟ ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ଚିକିତ୍ସା ଜାରି ରହିଛି । ସଂକ୍ରମିତ 4 ଜଣ ବ୍ୟକ୍ତି ବିହାରର ସ୍ଥିତ ଗୟାରେ ଧର୍ମଗୁରୁ ଦଲାଇଲାମାଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ । ରାଜ୍ୟ କୋଭିଡ ସଂକ୍ରମଣ ଖବର ସାମନାକୁ ଆସିବା ପରେ ସତର୍କତା ଜାରି କରାଯାଇଛି ।
ବିହାରସ୍ଥିତ ଗୟାରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ କାର୍ଯ୍ୟକ୍ରମ ଚାଲିଛି । ଯେଉଁଥିରେ ବିଦେଶରୁ ଅନେକ ବୌଦ୍ଧ ଧର୍ମାବଲମ୍ବୀ ଏଠାକୁ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା 29, 30 ଏବଂ 31ରେ ଧର୍ମଗୁରୁ ଦଲାଇଲାମାଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ଏଥିରେ ଭାରତ ତଥା ବିଭିନ୍ନ ଦେଶରୁ 60 ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହେବେ । କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ସମସ୍ତ ବିଦେଶ ଫେରନ୍ତାଙ୍କ RTPCR ଟେଷ୍ଟ୍ କରାଯାଉଛି । ଏହାର ଯାଞ୍ଚ ସମୟରେ ରବିବାର ଗୟାରେ 4 ଜଣ ବିଦେଶୀ କୋରୋନା ସଂକ୍ରମିତ ହୋଇଛନ୍ତି । ଆଗୁଆ ସମସ୍ତ ପଦକ୍ଷେପ ନେବାକୁ ରାଜ୍ୟ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଚୀନରେ ବ୍ୟାପୁଥିବା ଓମିକ୍ରନ ସବ୍-ଭାରିଆଣ୍ଟ BF.7 ଭାରତରେ ଚିହ୍ନଟ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି । ଗତ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ କୋଭିଡ ସ୍ଥିତି ସମୀକ୍ଷା କରି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଯେଉଁଥିରେ ବିହାର ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତ ରାଜ୍ୟକୁ ସଜାଗ କରିବା ସହ କୋଭିଡ-19ର ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସହଯୋଗୀ ମନୋଭାବରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିସହ ସମସ୍ତ ରାଜ୍ୟ ମନିଟରିଂ ବ୍ୟବସ୍ଥାକୁ ମଜଭୁତ କରିବା ଉଚିତ ବୋଲି କହିଛନ୍ତି ।