ପଶ୍ଚିମବଙ୍ଗ ନିର୍ବାଚନ
କେଉଁ ପଟକୁ ଢଳିବ ବଙ୍ଗଳାର ଦ୍ବିତୀୟ ସମ୍ମାନଜନକ ଆସନ ? ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସହିତ ବହୁଚର୍ଚ୍ଚିତ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରେ ଗତ ଏପ୍ରିଲ 1ରେ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ 10 ତାରିଖ ଦିନ ସିଙ୍ଗୁରରେ ଭୋଟଗ୍ରହଣ କରାଯିବ ।
ଏକଦା ଅନ୍ତର୍ଜାତୀୟ ଶିରୋନାମାରେ ସ୍ଥାନ ପାଇଥିବା ସିଙ୍ଗୁର, ବାମପନ୍ଥୀଙ୍କୁ ପରାସ୍ତ କରି ରାଜ୍ୟରେ ସରକାର ଗଠନ ନିମନ୍ତେ ଭିତ୍ତି ସ୍ଥାପନ କରିବା ସହିତ ମମତା ବାନାର୍ଜୀଙ୍କ ଅଭ୍ୟୁତ୍ଥାନ ଦିଗରେ ପଥ ପରିଷ୍କାର କରିଥିଲା । ସିଙ୍ଗୁରରେ ଟାଟା ମୋଟର୍ସ ପକ୍ଷରୁ ଏକ ଅଟୋମୋବାଇଲ କାରଖାନା ସ୍ଥାପନ ସକାଶେ ଭୂମି ଅଧିଗ୍ରହଣକୁ ବିରୋଧ କରି 2006 ମସିହାରେ ମମତା ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ, ତାହାର ସୁଫଳ ତାଙ୍କୁ ଓ ତାଙ୍କ ଦଳ ତୃଣମୂଳ କଂଗ୍ରେସକୁ ମିଳିଥିଲା । କିନ୍ତୁ, ହୁଏତ ଶନିବାର ଦିନର ନିର୍ବାଚନ, ଏଥର ତୃଣମୂଳ ସୁପ୍ରିମୋଙ୍କ ପାଇଁ ଏକ ସଂପୂର୍ଣ୍ଣ ନିଆରା ଅନୁଭୂତି ସୃଷ୍ଟି କରିପାରେ । 2001 ମସିହାରେ, ଜଣେ ସ୍ଥାନୀୟ ସ୍କୁଲ ଶିକ୍ଷକ ତଥା ଏହି କୃଷକ ବହୁଳ ଅଞ୍ଚଳର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ବ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ, ସିଙ୍ଗୁରରେ ତୃଣମୂଳ କଂଗ୍ରେସ ଆଖିଦୃଶିଆ ସଫଳତା ହାସଲ କରିଆସିଛି ।
2016 ପର୍ଯ୍ୟନ୍ତ, କ୍ରମାଗତ ଭାବେ 4 ଥର ପାଇଁ ଭଟ୍ଟାଚାର୍ଯ୍ୟ ଏହି ଆସନରୁ ବିଜୟଲାଭ କରିଥିଲେ । ସିଙ୍ଗୁରର ଏହି ‘ମାଷ୍ଟରମୋଶାଇ’ (ଶିକ୍ଷକ) ଭୂମି ଅଧିଗ୍ରହଣ ବିରୋଧରେ ମମତାଙ୍କ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ ଏବଂ ମମତା ବାନାର୍ଜୀଙ୍କ ସପକ୍ଷରେ ଜନମତ ସୃଷ୍ଟି କ୍ଷେତ୍ରରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ରୂପେ ଭୂମିକା ନିର୍ବାହ କରିଥିଲେ । କିନ୍ତୁ 2016 ତୁଳନାରେ 2021ର ସିଙ୍ଗୁର ନିହାତି ଅଲଗା ।
ଏଥର ସିଙ୍ଗୁରର ଏହି 89 ବର୍ଷୀୟ ମାଷ୍ଟରମୋଶାଇ, ଗତ ବର୍ଷେ ହେଲା ସ୍ବର ପରିବର୍ତ୍ତନ କରିଛନ୍ତି ଏବଂ ମମତା ତାଙ୍କୁ ଦଳୀୟ ଟିକେଟ ଦେବା ପାଇଁ ମନା କରିଦେବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତୃଣମୂଳର ସରଳ ଯୁକ୍ତି ଯେ- ରବୀନ୍ଦ୍ରନାଥଙ୍କର ବୟସ ଅଧିକ ଏବଂ କୌଣସି ବିଧାନସଭା ନିର୍ବାଚନ ଲାଗି ଆବଶ୍ୟକ ପ୍ରଚାର କାର୍ଯ୍ୟ ଭଳି କଷ୍ଟକର କାମ ତୁଲାଇବାରେ ଶାରୀରିକ ଦୃଷ୍ଟିରୁ ସେ ସମର୍ଥ ନୁହଁନ୍ତି ।
ବିଜେପି ତତ୍କ୍ଷଣାତ୍ ସିଙ୍ଗୁର ପାଇଁ ଏହି ଶିକ୍ଷକଙ୍କୁ ଦଳୀୟ ଟିକେଟ ଦେଇଦେଲା ଏବଂ କୃଷି ଜମି ରକ୍ଷା ସମିତିର ଆବାହକ ବେଚାରାମ ମାନ୍ନାଙ୍କ ବିପକ୍ଷରେ ତାଙ୍କୁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ କରାଇଲା । ମାନ୍ନା, ପଡ଼ୋଶୀ ହରିପାଲ ଆସନରୁ ତୃଣମୂଳ ବିଧାୟକ ଅଛନ୍ତି ଏବଂ ତାଙ୍କ ପତ୍ନୀ କରବୀ, ସେଠାରୁ ନିର୍ବାଚନ ଲଢ଼ିବା ଲାଗି ମମତାଙ୍କ ଦ୍ବାରା ମନୋନୀତ ହୋଇଛନ୍ତି । ବାସ୍ତବରେ, ବଙ୍ଗଳାର ଯେ କୌଣସି ରାଜନୈତିକ ପର୍ଯ୍ୟବେକ୍ଷକ କହିବେ ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପାଇଁ ଶୁଭେନ୍ଦୁ ଅଧିକାରୀ ଯାହା ଥିଲେ, ବେଚାରାମ ମାନ୍ନା ସିଙ୍ଗୁରରେ ଠିକ୍ ତାହା ହିଁ ଅଛନ୍ତି ।
ସିଙ୍ଗୁରକୁ ସେ ଖୁବ୍ ଭଲ ଭାବରେ ଜାଣିଛନ୍ତି ଏବଂ ବାସ୍ତବ କ୍ଷେତ୍ରରେ ତାଙ୍କର ନେଟ୍ୱର୍କ ବେଶ ସୁଦୃଢ଼ ଏବଂ ସଂପ୍ରସାରିତ । ତୃଣମୂଳ ହାତରୁ ଏହି ଆସନକୁ ଛଡ଼ାଇ ନେବା ପ୍ରୟାସରେ ଗେରୁଆ ଦଳର ଲକ୍ଷ୍ୟରେ ସେ ହିଁ ପ୍ରଥମେ ଥିବା କଥାରୁ ଏହା ପ୍ରମାଣିତ । ସେତେବେଳେ କଥା ଉଠିଥିଲା ଯେ, ଭଟ୍ଟାଚାର୍ଯ୍ୟଙ୍କ ପୂର୍ବରୁ ମାନ୍ନାଙ୍କ ସହିତ ବିଜେପି କଥାବାର୍ତ୍ତା କରିଥିଲା । କିନ୍ତୁ ସେ ଦଳବଦଳ କରିବାକୁ ମନା କରିଦେଇଥିଲେ । ତେଣୁ, ଶିକ୍ଷକଙ୍କୁ ହିଁ ଏବେ ଗେରୁଆ ବସ୍ତ୍ର ପରିଧାନ କରିବାକୁ ପଡ଼ିଛି ।