ନୂଆଦିଲ୍ଲୀ: ‘କୌଶଳ ଦୀକ୍ଷାନ୍ତ ସମାରୋହ-୨୦୨୩’କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ଦେଶ ପାଖରେ ପ୍ରାକୃତିକ ସମ୍ବଳ, ଖଣିଜ ସମ୍ପଦ ଏବଂ ସୁଦୀର୍ଘ ସମୁଦ୍ର ବେଳାଭୂମି ଭଳି ଭିନ୍ନ ଭିନ୍ନ ସାମର୍ଥ୍ୟ ରହିଛି । କିନ୍ତୁ ଏହି ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ଯେଉଁ ମହତ୍ତ୍ୱପୂର୍ଣ୍ଣ ଶକ୍ତିର ଆବଶ୍ୟକତା ରହିଛି ତାହା ହେଉଛି ଯୁବଶକ୍ତି । ଏହି ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ । ଆଜି ଭାରତ ଏହି ଭାବନା ସହ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରୁଛି । ସମଗ୍ର ପରିସଂସ୍ଥାନରେ ଅଭୁତପୂର୍ବ ପରିବର୍ତ୍ତନ ଆଣୁଛି ଏବଂ ଏଥିରେ ମଧ୍ୟ ଦେଶ ଦୁଇ ପ୍ରକାର ପଦକ୍ଷେପ ନେଉଛି । ଯୁବବର୍ଗଙ୍କୁ ଦକ୍ଷ କରିବା ସହ ଶିକ୍ଷା ଦ୍ୱାରା ନୂଆ ସୁଯୋଗର ଲାଭ ଉଠାଇବା ପାଇଁ ପ୍ରସ୍ତୁତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦକ୍ଷତାକୁ ସମ୍ମାନ ଦେବା ଓ ଦେଶରେ ଥିବା ଦକ୍ଷତା ପ୍ରତିଭାକୁ ସମ୍ମାନିତ କରିବା ଦିଗରେ କୌଶଳ ଦୀକ୍ଷାନ୍ତ ସମାରୋହ ଏକ ବିଶେଷ କାର୍ଯ୍ୟକ୍ରମ । ଏହି ବାର୍ଷିକ ଦକ୍ଷତା ସମାବର୍ତ୍ତନ ସମାରୋହରେ ସ୍କିଲ୍ ସାର୍ଟିଫିକେଟ୍ ଗ୍ରହଣ କରିଥିବା ଦକ୍ଷତା ପରିସଂସ୍ଥାନର ୧୦.୬୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ଏକ ବଡ ଉପଲବ୍ଧି ବୋଲି ସେ କହିଛନ୍ତି ।
ଏହା ସହ ସ୍କିଲ୍ ସାର୍ଟିଫିକେସନରେ ମହିଳାଙ୍କ ସଂଖ୍ୟା ବଢିବା ଖୁସିର ବିଷୟ । ବିଗତ ବର୍ଷଗୁଡିକରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ବଢିବାରେ ଲାଗିଛି । ଭାରତରେ ୨୦୧୭ ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ଦେଶରେ ସ୍କିଲ୍ ଇକୋସିଷ୍ଟମରେ ୧.୫ କୋଟି ନାଗରିକ ସାମିଲ ହୋଇଛନ୍ତି । ବିଶ୍ୱରେ ଦକ୍ଷତା ପରବର୍ତ୍ତନଶୀଳ । ଆମ ସ୍କିଲିଂ ଇକୋସିଷ୍ଟମକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ ଏବଂ ଦକ୍ଷତା ବିକାଶକୁ ଅଧିକ ଆକାଂକ୍ଷୀ କରିବାକୁ ହେବ ।