ପାଟନା: ବିହାର ବେଗୁସରାଇରେ ଏକ ବଡ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ୫ ଜଣ ପିଲା ବୁଡି ଯାଇଛନ୍ତି । ସମସ୍ତଙ୍କ ବୟସ ୧୪ରୁ ୨୦ ବର୍ଷ ମଧ୍ୟରେ ଥିବାବେଳେ ସେମାନେ ସମ୍ପର୍କୀୟ ଭାଇ ହେବେ । ଗତକାଲି (ଶୁକ୍ରବାର) ବେଗୁସରାଇ ଗଣ୍ଡକ ନଦୀରେ ଗାଧୋଇବା ବେଳେ ସମସ୍ତେ ବୁଡି ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି କରିଥିବା ବେଳେ ଏବେସୁଦ୍ଧା କେବଳ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟମାନଙ୍କୁ ଠାବ କରିବାକୁ ଖୋଜାଖୋଜି ଜାରି ରହିଛି । ଏହି ପିଲାମାନେ ନିଜର ସମ୍ପର୍କୀୟ ଭଉଣୀର ବିବାହ ଉତ୍ସବରେ ସାମିଲ ହେବାକୁ ବେଗୁସରାଇ ଆସିଥିଲେ ।
ପ୍ରାପ୍ତ ସୂଚନା ମୁତାବକ, ୫ ଜଣଙ୍କ ମଧ୍ୟରୁ ୩ ଜଣ ବିହାର ମୁଙ୍ଗେର ଏବଂ ମାଧେପୁର ଜିଲ୍ଲାର । ସମ୍ପର୍କୀୟ ଭଉଣୀର ବିବାହ କାର୍ଯ୍ୟକ୍ରମ ପାଇଁ ସେମାନେ ବେଗୁସରାଇ ସ୍ଥିତ ଏକ ଗ୍ରାମକୁ ଆସିଥିଲେ । ଗାଁ ମୁଖିଆଙ୍କ କହିବା ଅନୁସାରେ, ଗତକାଲି ୯ ଜଣ ନାବାଳକ ଓ ଯୁବକ ଗଣ୍ଡକ ନଦୀରେ ଗାଧୋଉଥିଲେ । ହେଲେ ଅସାବଧାନତା ଯୋଗୁଁ ନଦୀର ପ୍ରଖର ସ୍ରୋତରେ ୫ ଜଣ ଭାସି ଯାଇଥିଲେ । ସେହି ପିଲାମାନଙ୍କ ମଧ୍ୟରୁ ୩ ଜଣ ଛୋଟୁ, ଅଭିଷେକ କୁମାର, ଆକାଶ ବୋଲି ଜଣାପଡି ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିନାହିଁ । ସ୍ଥାନୀୟ ଲୋକେ ଓ ଡଙ୍ଗା ଚାଳକ ବହୁ ଖୋଜାଖୋଜି କରିବା ପରେ ନଦୀରୁ ଛୋଟୁର ମୃତଦେହ ଉଦ୍ଧାର କରିଛନ୍ତି । ଅନ୍ୟମାନେ ଏବେ ବି ନିଖୋଜ ଅଛନ୍ତି । ସମସ୍ତଙ୍କୁ ଖୋଜାଖୋଜି ଜାରି ରହିଛି ।