ଜୟପୁର(ରାଜସ୍ଥାନ):ରାଜସ୍ଥାନର ବିକାନେରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ଏବଂ ତାଙ୍କର ୩ଟି ସନ୍ତାନ । ସମସ୍ତଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । କୌଣସି କାରଣକୁ ନେଇ ସେହି ଦମ୍ପତି ଚାପଗ୍ରସ୍ତ ଥିଲେ । ଏହି କାରଣରୁ ନିଜର ୩ ପିଲାଙ୍କ ସହ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ମୃତକ ହେଲେ ୪୫ ବର୍ଷୀୟ ହନୁମାନ ସୋନି ତାଙ୍କର ପତ୍ନୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ । ହନୁମାନ ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତର୍ଗତ ଅନ୍ତୋଦୟନଗରରେ ଭଡାଘରେ ରହୁଥିଲେ । କୁହାଯାଉଛି ଯେ, ଏହି ପରିବାର କୌଣସି କାରଣକୁ ନେଇ ଦୀର୍ଘ ଦିନ ଧରି ଚାପଗ୍ରସ୍ତ ଥିଲେ । ଏହାକୁ କେନ୍ଦ୍ରକରି ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ କେଉଁ କାରଣ ପାଇଁ ପୁରା ପରିବାର ଆତ୍ମହତ୍ୟା ଭଳି ଏତେ ବଡ଼ ପଦକ୍ଷେପ ଉଠାଇଲେ, ତାହା ସଠିକ୍ ଭାବେ ଜଣାପଡିନି । ଗୁରୁବାର ଦିନ ପୋଲିସ ଘର ଭିତରୁ ୫ ଜଣଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବିକାନେରର ପିବିଏମ ହସ୍ପିଟାଲକୁ ପଠାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ: କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ