ଓଡିଶା

odisha

ETV Bharat / bharat

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଶିଶୁ ସମେତ 5 ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶର ଦେହତରେ ଦୁଃଖଦ ଘଟଣା । ଶୋଇଥିବା ସମୟରେ ଘରେ ନିଆଁ ଲାଗି 5 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

By

Published : Mar 12, 2023, 9:15 AM IST

fire
fire

ଲକ୍ଷ୍ନୌ: ସର୍ଟ ସର୍କିଟ ଯୋଗୁ ଘରେ ଲାଗିଲା ନିଆଁ । ଶୋଇଥିବା ସମୟରେ ଘରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ସ୍ବାମୀ, ସ୍ତ୍ରୀ ସହ ୩ଜଣ ନିରୀହ ଶିଶୁ ଆଖି ବୁଜିଛନ୍ତି । ଉତ୍ତରପ୍ରଦେଶର କାନପୁର ଦେହତରେ ଏପରି ଛାତିଥରା ଘଟଣା ଘଟିଛି । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଏପରି ଅଗ୍ନିକାଣ୍ଡ ଘଟିଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ପୋଲିସ ଅଧୀକ୍ଷକ ବିବିଜିଟିଏସ୍ ମୁର୍ତ୍ତୀ କହିଛନ୍ତି," ଶନିବାର ବିଳମ୍ବିତ ରାତିରେ ରୁରା ଥାନା ଅନ୍ତର୍ଗତ ହରାମଇ ବଞ୍ଜାରା ଡେରାରେ ଏକ ଝୁମ୍ପୁଡି ଘରେ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ଆଁରେ ଜଳି ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଥିଲେ । ମୃତକ ହେଲେ ୩୦ ବର୍ଷୀୟ ସତୀଶ, ୨୬ ବର୍ଷୀୟ ସ୍ତ୍ରୀ କାଜଲ, ୬ ବର୍ଷୀୟ ବାଳକ ସନ୍ନୀ, ୫ ବର୍ଷୀ ସନ୍ଦୀପ ଏବଂ ୩ ବର୍ଷର ଶିଶୁ ଗୁଡିଆ । ପରିବାର ଲୋକେ ଶୋଇଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ସେମାନେ ବାହାରକୁ ମଧ୍ୟ ବାହାରି ପାରିନଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ବାଲଟିରେ ପାଣି ଢାଳି ନିଆଁ ଲିଭାଇଥିଲେ । ହେଲେ ସେତେବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା । କେବଳ ସତୀଶଙ୍କ ମାଆ ଅଳ୍ପକେ ବର୍ତ୍ତି ଯାଇଥିଲେ ।"

ଖବରମୁତାବକ, ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇଲା ବେଳକୁ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ଏସପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାସହ ବିଳମ୍ବିତ ରାତିରେ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ସନ୍ଧାନୀ କୁକୁର ଏବଂ ଫରେନସିକ ଟିମ ପହଞ୍ଚି ତଦନ୍ତ କରିଥିଲେ ।

ଏହି ଘଟଣାକୁ ନେଇ ଜଣେ ସ୍ଥାନୀୟ ଲୋକ କହିଛନ୍ତି,"ସତୀଶଙ୍କ ପରିବାର ଲୋକ ରାତିରେ ଖାଇସାରି ଶୋଇଥିଲେ । ଏକ ଲାଇଟ ଲାଗିଥିଲା । ତେବେ ଲାଇଟ ଦଉଡି ସଂସ୍ପର୍ଶରେ ଆସିବାରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ଆଉ କେହି ବାହାରି ପାରିନଥିଲେ । ସମସ୍ତେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details