ଇମ୍ଫାଲ: ମଣିପୁରରେ ନୀତିଶ କୁମାରଙ୍କ ଜେଡିୟୁକୁ ଶକ୍ତ ଝଟ୍କା । ବିଜେପିରେ ମିଶିଲେ ଜେଡିୟୁ ବିଧାୟକ(Five JD(U) MLAs merge with BJP in Manipur) । ମଣିପୁରର ୫ ଜଣ ଜେଡିୟୁ ବିଧାୟକ ଦଳ ଛାଡି ଶାସକ ଦଳ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ମଣିପୁର ବିଧାନସଭା ପକ୍ଷରୁ ଜାରି ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେବାକୁ ବିଧାନସଭା ବାଚସ୍ପତି ଗ୍ରହଣ କରିଛନ୍ତି । ବିଧାନସଭା ସଚିବ କେ ମେଘଜିତ ସିଂହ ଏନେଇ ସୂଚନା ଦେଇଛନ୍ତି ।
ମଣିପୁରରେ ଜେଡିୟୁର ସମୁଦାୟ ୬ ଜଣ ବିଧାୟକ ଥିବାବେଳେ ସେଥିମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି । ଯାହାକି ବିହାରରେ ବିଜେପି ସହ ମେଣ୍ଟରୁ ଓହରିଥିବା ନୀତିଶ କୁମାରଙ୍କ ପାଇଁ ବଡ ଝଟ୍କା ହୋଇଛି । ଜେଡିୟୁ ହାତ ଛାଡି ବିଜେପିରେ ମିଶିଥିବା ବିଧାୟକମାନେ ହେଲେ ଜୟକିଶନ ସିଂହ( Kh Joykishan Singh), ଏନ ସନାତେ(N Sanate), ଏମଡି ଏଚାବ ଉଦ୍ଦିନ(Md Achab Uddin), ଥାଙ୍ଗଜାମ ଅରୁଣ କୁମାର(Thangjam Arunkumar) ଏବଂ ଏଲ ଏମ ଖଉତେ(L M Khaute) । ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସହିତ ମିଶି ମହାଗଠବନ୍ଧନ ସରକାର ଗଢିବା ପରେ ଏହାକୁ ନେଇ ବିଧାୟକମାନେ ଅସନ୍ତୋଷ ପ୍ରକଶ କରିଥିଲେ । ଏଥିପାଇଁ ଜେଡିୟୁ ବିଧାୟକମାନେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି । କହିରଖୁଛୁ କି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର(CM Nitish Kumar) ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ଜେଡିୟୁ କହିଥିଲା । ହେଲେ ଓଲଟା ଏଠି ବାଜି ପଲଟି ଯାଇଛି ।