ଦିସପୁର: ବେକରେ ରଶି ଲଗାଇ ତିନି ଝିଅଙ୍କ ସହ ଦମ୍ପତିଙ୍କ ଆତ୍ମହତ୍ୟା । ଆସାମର କୋକ୍ରାଝର ଜିଲ୍ଲା ଗୋସାଇଗାଁରେ ସୋମବାର ଘଟିଛି ଏହି ଅଭାବନୀୟ ଘଟଣା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତକମାନେ ହେଲେ 52 ବର୍ଷୀୟ ନିର୍ମାଲ ପାଲ, ତାଙ୍କ ସ୍ତ୍ରୀ ମଲିକା ପାଲ ଓ ସେମାନଙ୍କର ତିନି ଝିଅ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସୋମବାର ଦିନ କିଛି ପିଲା ନିର୍ମାଲଙ୍କ ଘରକୁ ଟିଉସନ ପାଇଁ ଆସିଥିଲେ । ବହୁତ ସମୟ ଘର ଦୁଆରରେ ଠିଆ ହୋଇଥିଲେ ମଧ୍ୟ କେହି କବାଟ ଖୋଲି ନଥିଲେ । ଏନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ଉପୁଜିଥିଲା । ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ 5 ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପାରିପାଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡିଛି ।