ଶିମଲା:ହିମାଚଳ ପ୍ରଦେଶ ବିଧାନସଭା ନର୍ବାଚନରେ ଭୋଟ ଦେଇଛନ୍ତି ସ୍ବାଧୀନ ଭାରତର ପ୍ରଥମ ମତଦାତା ତଥା ଶତାୟୁ ଶ୍ୟାମ ଶରଣ ନେଗି । ଦେଶର ସ୍ବାଧୀନତା ପରବର୍ତ୍ତୀ ସମୟର ପ୍ରଥମ ଭୋଟର ଭାବେ ମାନ୍ୟତା ପାଇଥିବା 106 ବର୍ଷୀୟ ନେଗି ଆଜି ନିଜ ଜୀବନର 34ତମ ଭୋଟ ଦେଇଛନ୍ତି (Shyam Saran Negi cast vote for 34th time)। ହିମାଚଳ ପ୍ରଦେଶରେ 14ତମ ବିଧାନସଭା ନିର୍ବାଚନ ପାଇଁ 12 ତାରିଖରେ ଭୋଟିଂ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ସ୍ବାଭାବିକ ମତାଦାନ ପୂର୍ବରୁ ଆଜି ପୋଷ୍ଟାଲ ବାଲାଟ ମାଧ୍ୟମରେ ଶ୍ୟାମ ଶରଣ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ହିମାଚଳ ପ୍ରଦେଶରେ ଚଳିତ ବିଧାନସଭା ନିର୍ବଚନ ପାଇଁ ନଭେମ୍ବର 12 ରେ ଭୋଟ ଗ୍ରହଣ ହେବାକୁ ଯାଉଛି । ତେବେ ଶତାଧିକ ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଦେଶର ଏହି ପ୍ରଥମ ଭୋଟରଙ୍କୁ ପୋଲିଂ ବୁଥ ପରିବର୍ତ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ସ୍ଥାନୀୟ ପ୍ରଶାସନ । ଆଜି ପୂର୍ବାହ୍ନରେ ସ୍ଥାନୀୟ ପ୍ରଶାସନର ଏକ ଟିମ ନେଗିଙ୍କ କଳ୍ପା ସ୍ଥିତ ବାସଭବନରେ ପହଞ୍ଚିଥିଲେ । ପୋଷ୍ଟାଲ ବାଲାଟ ପ୍ରକ୍ରିୟାରେ ନେଗି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ଏହି ମତାଦାନ ପ୍ରକ୍ରିୟା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ମତାଧିକାର ସାବ୍ୟସ୍ତ ପରେ ସ୍ଥାନୀୟ ଜିଲ୍ଲାଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ନେଗିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
1951 ମସିହା ସାଧାରଣ ନିର୍ବାଚନରେ ଦେଇଥିଲେ ପ୍ରଥମ ଭୋଟ:-
1917 ମସିହାରେ ଜନ୍ମିତ ଶ୍ୟାମ ଶରଣ ନେଗି ବର୍ତ୍ତମାନ 106 ବର୍ଷରେ ପାଦ ଦେଇଛନ୍ତି । ନେଗି ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ ମତଦାତା । ସେ ଦେଶରେ ସ୍ବାଧୀନତା ପରବର୍ତ୍ତୀ 1951 ମସିହାରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ହୋଇଥିବା ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ନିର୍ବାଚନରେ ସେ କ୍ରମାଗତ ମତାଧିକାର ସାବ୍ୟସ୍ତ କରି ଆସିଛନ୍ତି । ଚଳିତ ବିଧାନସଭା ନିର୍ବାଚନକୁ ମିଶାଇ ସେ ଚଳିତ ଥର 34ତମ ମତାଧିକାର ସାବ୍ୟସ୍ତ କରିଛନ୍ତି ।