ଓଡିଶା

odisha

By ETV Bharat Odisha Team

Published : Oct 12, 2023, 9:12 PM IST

ETV Bharat / bharat

Operation Ajay: ମଧ୍ୟରାତ୍ରିରେ 230 ଭାରତୀୟଙ୍କୁ ଧରି ଇସ୍ରାଏଲ ଛାଡିବ ପ୍ରଥମ ବିମାନ

ମଧ୍ୟରାତ୍ରିରେ 230 ଭାରତୀୟଙ୍କୁ ଧରି ଇସ୍ରାଏଲ ଛାଡିବ ପ୍ରଥମ ବିମାନ । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଜାରି ରହିଛି ‘ଅପରେସନ ଅଜୟ’ । ଅଧିକ ପଢନ୍ତୁ

ପ୍ରଥମ ବିମାନରେ ମଧ୍ୟରାତ୍ରିରେ ଇସ୍ରାଏଲ ଛାଡିବେ 230 ଭାରତୀୟ
ପ୍ରଥମ ବିମାନରେ ମଧ୍ୟରାତ୍ରିରେ ଇସ୍ରାଏଲ ଛାଡିବେ 230 ଭାରତୀୟ

ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ରେ ଆଜି ପ୍ରଥମ ବିମାନରେ ସ୍ବଦେଶ ଫେରୁଛନ୍ତି 230 ଜଣ ଭାରତୀୟ । ମଧ୍ୟରାତ୍ରିରେ ଇସ୍ରାଏଲର ଟେଲ-ଆଭିଭ ବିମାନ ବନ୍ଦରରୁ 230 ଭାରତୀୟଙ୍କୁ ଧରି ପ୍ରଥମ ବିମାନ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବ । ଆସନ୍ତାକାଲି ସକାଳେ ବିମାନଟି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଅବତରଣ କରିବା ନେଇ ଆଶା କରାଯାଉଥିବା ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।

ଆଜି ନିୟମିତ ପ୍ରେସମିଟକୁ ସମ୍ବୋଧିତ କରିବା ଅବସରେ ବାଗଚି ଏହି ସୂଚନା ଦେଇଛନ୍ତି । ଇସ୍ରାଏଲରେ ଥିବା ଭାରତୀୟମାନେ ଦୂତାବାସକୁ ଯୋଗାଯୋଗ କରି ପ୍ରତ୍ୟାବର୍ତ୍ତନ ପାଇଁ ପଞ୍ଜୀକରଣ କରୁଛନ୍ତି । ସେମାନଙ୍କୁ ପର୍ଯ୍ୟାୟକ୍ରମେ ସ୍ବଦେଶ ଫେରାଇବା ପାଇଁ ପ୍ରୟାସ କରାଯାଉଛି । ଆଜି ପ୍ରଥମ ବିମାନରେ 230 ଭାରତୀୟ ଦିଲ୍ଲୀ ଫେରିବାକୁ ଯାଉଥିବା ବାଗଚି କହିଛନ୍ତି । ସେହିପରି ଏହି ସଂଘର୍ଷରେ ଭାରତର ଆଭିମୁଖ୍ୟ କ’ଣ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବାଗଚି କହିଛନ୍ତି, ‘‘ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଅନୁପାଳନ କରିବା ଏକ ସାର୍ବଜନୀନ ଓ ବାଧ୍ୟତାମୂଳକ ଦାୟିତ୍ବ । ଅନ୍ୟପଟେ ଆତଙ୍କବାଦ ଓ ତାର ସମସ୍ତ ରୂପ ବିରୋଧରେ ମଧ୍ୟ ଲଢେଇ କରିବା ମଧ୍ୟ ଏକ ବୈଶ୍ବିକ ଉତ୍ତରଦାୟିତ୍ବ ।’’

ଆଜି ଏହି ଅପରେସନ ଆରମ୍ଭ କରିବା ସହ ଦିଲ୍ଲୀରେ ବିଦେଶ ମନ୍ତ୍ରୀ ଜୟଶଙ୍କର ଉଚ୍ଚସ୍ତରୀୟ ବୈଠକରେ ଇସ୍ରାଏଲ ସ୍ଥିତି ସମୀକ୍ଷା କରିଛନ୍ତି । ଏବେ ସରକାରୀ ସୂତ୍ର ଅନୁସାରେ, ଇସ୍ରାଏଲରେ ପ୍ରାୟ 18 ହଜାର ଭାରତୀୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ହାଜରରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟ ଅଧ୍ୟୟନ କରୁଛନ୍ତି । ସମସ୍ତଙ୍କୁ ଉଦ୍ଧାର କରିବା ଲାଗି ‘ଅପରେସନ ଅଜୟ’ ଆରମ୍ଭ ହୋଇଛି । ଟେଲ-ଆଭିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏକ 24 ଘଣ୍ଟିଆ ହେଲ୍ପଡେସ୍କ ସଞ୍ଚାଳିତ କରି ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କ ସୂଚନା ସଂଗ୍ରହ କରିବା ସହ ସେମାନଙ୍କ ପଞ୍ଜୀକରଣ ମଧ୍ୟ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :- Operation Ajay: ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଅଜୟ’, ଜୟଶଙ୍କର ଡାକିଲେ ସମୀକ୍ଷା ବୈଠକ

ଶନିବାର ଆରମ୍ଭ ହୋଇଥିବା ଇସ୍ରାଏଲ ଓ ପାଲେଷ୍ଟାଇନ ନିୟନ୍ତ୍ରଣାଧୀନ ଗାଜା ମଧ୍ୟରେ ଆକ୍ରମଣ 6ଷ୍ଠ ଦିନରେ ପହଞ୍ଚିଛି । ଗାଜାରେ ସର୍ବାଧିକ କ୍ଷତି ହୋଇଥିବା ସହ ଇସ୍ରାଏଲ ଏବେ ମଧ୍ୟ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଅନ୍ୟ କିଛି ଦେଶଙ୍କ ହସ୍ତକ୍ଷେପ ମଧ୍ୟରେ ଏହି ସଂଘର୍ଷ ଅଧିକ ଜଟିଳ ହେବା ପରି ସ୍ଥିତି ମଧ୍ଯ ସୃଷ୍ଟି ହୋଇଛି । ସତର୍କ ଓ ସୁରକ୍ଷିତ ରହିବା ସହ କୌଣସି ସ୍ଥାନକୁ ଯାତ୍ରା ନକରିବା ପାଇଁ ଭାରତୀୟଙ୍କ ପାଇଁ ଜାରି ଗାଇଡ ଲାଇନରେ ନିର୍ଦ୍ଦେଶ ଦେଇଛି ଦୂତାବାସ । ତେବେ ଆଜି ମଧ୍ୟରାତ୍ରିରେ ଅପରେସନର ପ୍ରଥମ ବିମାନ ଭାରତ ଅଭିମୁଖେ ଉଡାଣ ଭରିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details