ମୁମ୍ବାଇ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଆଜି ଅପରାହ୍ନରେ ରୋମାନିଆର ରାଜଧାନୀ ଦେଇ 219 ଭାରତୀୟ ନାଗରିକଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଜି (ଶନିବାର) ସନ୍ଧ୍ୟାରେ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ବିମାନବନ୍ଦରରେ ଉପସ୍ଥିତ ରହି ଭାରତୀୟଙ୍କୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।
ବିମାନବନ୍ଦରରେ ଭାରତୀୟଙ୍କୁ ସ୍ବାଗତ କରିବା ଅବସରରେ ମନ୍ତ୍ରୀ ଗୋଏଲ କହିଛନ୍ତି, ଭାରତୀୟ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ମିଶନ ମୋଡରେ କାର୍ଯ୍ୟ ଜାରିଛନ୍ତି । ୟୁକ୍ରେନ-ଋଷ ସଙ୍କଟ ମଧ୍ୟରେ ରାଜଧାନୀ କିବରେ ଥିବା ଭାରତୀୟଙ୍କୁ ନାଗରିକମାନଙ୍କୁ ଦୂତାବାସ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସିଛି । ବୈଦେଶିକ ମନ୍ତ୍ରଣାଳୟ ସହ ନିରବଚ୍ଛିନ୍ନ ଯୋଗାଯୋଗରେ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବାକୁ ଚେଷ୍ଟା ଜାରି ରହିଛି । ଏବେ ସୁଦ୍ଧା ସେଠାରେ ଥିବା ଭାରତୀୟଙ୍କୁ ସୀମାବର୍ତ୍ତୀ ଅଞ୍ଚଳକୁ ନଯାଇ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ମଧ୍ୟ ଜାରି କରାଯାଇଛି ।
ସେହିପରି ଗୋଏଲ ଆହୁରି ମଧ୍ୟ କହିଛନ୍ତି ଏହା ପ୍ରଥମ ବ୍ୟାଚ ଥିଲା, ଦ୍ୱିତୀୟଟି ଖୁବ୍ ଶୀଘ୍ର ଦିଲ୍ଲୀରେ ପହଞ୍ଚିବାକୁ ଯାଉଛି । ସେଠାରେ ଫସିଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ନସରିବା ଯାଏଁ ଭାରତ ସରକାରଙ୍କ ଏହି ମିଶନ ବନ୍ଦ ହେବ ନାହିଁ ।