ମୁମ୍ବାଇ:ଭାରତରେ ଚିହ୍ନଟ ହେଲା ନୂଆ କୋଭିଡ ପ୍ରଜାତି ଓମିକ୍ରନ (Omicron XE) ଓ Kappa ଭ୍ୟାରିଏଣ୍ଟର ପ୍ରଥମ ମାମଲା । ଆଜି ମୁମ୍ବାଇରେ ଏହି ଦୁଇ ନୂତନ ପ୍ରଜାତି ଭୂତାଣୁ ଦ୍ବାରା ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ XE ହେଉଛି ଓମିକ୍ରନ ଷ୍ଟ୍ରେନ BA.1 ଏବଂ BA.2 ମିଳିତ ଲକ୍ଷଣ ରଖୁଥିବା ପ୍ରଜାତି ବୋଲି ପ୍ରାଥମିକ ଗବେଷଣାରୁ ଜଣାପଡିଛି । ପ୍ରାଥମିକ ସୂଚନାନୁସାରେ, ମୂଳ ଓମିକ୍ରନ୍ ଭାରିଆଣ୍ଟ ଅପେକ୍ଷା ଏହି ପ୍ରଜାତିଟି ପ୍ରାୟ 10 ପ୍ରତିଶତ ଅଧିକ ସଂକ୍ରାମକ ।
ସେହିପର କୋଭିଡ ଭୂତାଣୁର ଅନ୍ୟ ଏକ ପ୍ରଜାତି ‘Kappa’ ଭାରିଆଣ୍ଟର ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି । ମୁମ୍ବାଇରୁ ଆସିଥିବା 230ଟି ନମୁନା ମଧ୍ୟରୁ 228ଟି ନମୁନା ମୂଳ ଓମିକ୍ରନ ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଦୁଇଟିରୁ ଗୋଟିଏ Kappa ଭାରିଆଣ୍ଟ ଏବଂ ଅନ୍ୟଟି XE ପ୍ରଜାତିର ବୋଲି ପରୀକ୍ଷାରୁ ଜଣାପଡିଛି । ତେବେ ଆଶ୍ବସ୍ତିକର ସୂଚନା ଏହା ଯେ, ନୂତନ ଭ୍ୟାରିଏଣ୍ଟରେ ଆକ୍ରାନ୍ତଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନାହିଁ । ଉଭୟ ଆକ୍ରାନ୍ତଙ୍କୁ ସଙ୍ଗରୋଧ ସହ ନିରୀକ୍ଷଣରେ ରଖାଯାଇଛି ।