ରାୟପୁର:ଛତିଶଗଡ଼ ତେଲିବନ୍ଧା ଥାନା ଅଧୀନସ୍ଥ ଲାଭାଣ୍ଡିରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା । ପୂର୍ବରୁ ବ୍ୟବସାୟିକ ଶତ୍ରୁତା ଯୋଗୁଁ ଏହି ଗୁଳିମାଡ଼ କୁହାଯାଉଥିବା ବେଳେ ପ୍ରକୃତ ଘଟଣା ଏବେ ସାମ୍ନାକୁ ଆସିଛି । ଗାର୍ଲଫ୍ରେଣ୍ଡକୁ ପାନେ ଦେବାକୁ ପୂର୍ବତନ ପ୍ରେମିକ ବ୍ୟବସାୟୀଙ୍କୁ ହତ୍ୟା କରିବା ଲାଗି ଏହି ଷଡ଼ଯନ୍ତ୍ର ରଚିଥିବା ପୋଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ସୁପାରି କିଲର ଅମନ ଶର୍ମା ଓଡ଼ିଶାର ବୋଲି ଜଣାପଡ଼ିଛି ।
ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ଷଡ଼ଯନ୍ତ୍ର:-ପୋଲିସର କହିବାନୁସାରେ ପୂର୍ବତନ ପ୍ରେମିକ ସୁନୀଲ କୋଡିଆ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ଏହି ଷଡ଼ଯନ୍ତ୍ର ପଛରେ ତ୍ରିକୋଣୀୟ ପ୍ରେମ ଅସଲ କାରଣ ବୋଲି ଜଣାପଡ଼ିଛି । ପଚରାଉଚରା ବେଳେ ସୁନୀଲ କୋଡିଆ ପୋଲିସକୁ କହିଛି ଯେ ସେ ଜଣେ ଯୁବତୀଙ୍କୁ ଦିଲ୍ଲୀରେ ଏକ ଫ୍ଲାଟ କିଣିଦେଇଥିଲା । ଯୁବତୀ ଜଣକ ସେତେବେଳେ ତାର ସମ୍ପର୍କରେ ଥିଲେ । ହେଲେ ପରବର୍ତ୍ତୀ ସମୟରେ ସୁନୀଲ ଜାଣିବାକୁ ପାଇଥିଲେ ଯେ ରାୟପୁର ଅଞ୍ଚଳର ଜଣେ ବ୍ୟବାସାୟୀ (ଗୁଳି ଖାଇଥିବା ଯୁବକ ସନ୍ଦୀପ ଜୈନ) ସହ ତାର ସମ୍ପର୍କ ରହିଛି । ଏହାପରେ ଅଭିଯୁକ୍ତ ସୁନୀଲ ଯୁବତୀଙ୍କୁ ବାରଣ କରିବା ପରେ ମଧ୍ୟ ସେ ସନ୍ଦୀପଙ୍କ ସହିତ କଥାବାର୍ତ୍ତା ଜାରି ରଖିଥିଲେ ।
ଏହା ବି ପଢନ୍ତୁ- ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣାର ପର୍ଦ୍ଦାଫାସ, ୩ ଗିରଫ
ଏହାପରେ ଅଭିଯୁକ୍ତ ସୁନୀଲ ସନ୍ଦୀପଙ୍କୁ ରାସ୍ତାରୁ ହଟାଇବା ଲାଗି ଓଡ଼ିଶାର ସୁପାରି କିଲର ଅମନ ଶର୍ମାକୁ ହତ୍ୟା କରିବା ଲାଗି ସୁପାରି ଦେଇଥିଲେ । ଗତ ବୁଧବାର ଲାଭାଣ୍ଡି ସ୍ଥି ପୁରୁଣା ମଦଭାଟି ନିକଟରେ ସନ୍ଦୀପଙ୍କୁ ଗୁଳିମାଡ଼ କରିଥିଲା ସୁପାରି କିଲର ଅମନ ଶର୍ମା । ଏବେ ସନ୍ଦୀପ ଜୈନର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ପୋଲିସ କହିଛି । ଏହି ଘଟଣାରେ ପୋଲିସ ଏବେ ସୁପାରି କିଲର ଅମନ ଶର୍ମା ଓ ପୂର୍ବତନ ପ୍ରେମିକ ତଥା ବ୍ୟବସାୟୀ ସୁନୀଲ କୋଡିଆକୁ ଗିରଫ କରିଛି ।
ଦୋଷ ସ୍ବୀକାର କଲା ପୂର୍ବତନ ପ୍ରେମିକ ସୁନୀଲ:-ପୋଲିସର ପଚରାଉଚରା ସମୟରେ ୨ ଅଭିଯୁକ୍ତ ସୁନୀଲ କୋଡିଆ ଓ ଅମନ ଶର୍ମା ନିଜ ଦୋଷ ସ୍ବୀକାର କରିଛନ୍ତି । ଦିଲ୍ଲୀର ଦ୍ବାରକାରେ ସେ ଉକ୍ତ ଯୁବତୀଙ୍କୁ ଏକ ଫ୍ଲାଟ କିଣି ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଉକ୍ତ ଯୁବତୀ ଜଣକ ସୁନୀଲଙ୍କୁ ଧୋକା ଦେଇ ସନ୍ଦୀପ ସହିତ ସମ୍ପର୍କ ଗଢିଥିଲେ । ଏଥିରେ ବ୍ୟସ୍ତ ବିବ୍ରତ ହୋଇ ପ୍ରଥମେ ସୁନୀଲ ଯୁବତୀଙ୍କୁ ଫ୍ଲାଟରୁ ବାହାର କରିଦେଇଥିବା ବେଳେ ପରେ ଉକ୍ତ ଫ୍ଲାଟକୁ ବିକ୍ରି କରିଥିଲେ । ହେଲେ ଏହା ପରେ ମଧ୍ୟ ସେ ନିଜକୁ କ୍ରୋଧକୁ ନିୟନ୍ତ୍ରଣରେ ରଖାପାରିନଥିଲେ । ପ୍ରେମିକାଙ୍କ ନୂଆ ପ୍ରେମିକ (ସନ୍ଦୀପ ଜୈନ) ସହିତ କଥାବାର୍ତ୍ତା ବନ୍ଦ କରିବାକୁ ତାକୁ ଧମକ ଦେଇଥିଲେ । ହେଲେ ଯୁବତୀ ଜଣକ ନ ଶୁଣିବା ପରେ ଶେଷରେ ସନ୍ଦୀପଙ୍କୁ ହତ୍ୟା କରିବା ଲାଗି ସେ ଷଡଯନ୍ତ୍ର କରିଥିଲେ । ଏଥିଲାଗି ଓଡ଼ିଶାର ଯୁବକ ଅମନ ଶର୍ମାକୁ ସୁପାରି ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ