ନୂଆଦିଲ୍ଲୀ:ତିସ ହଜାରୀ କୋର୍ଟ ପରିସରରେ ଗୁଳି ଫୁଟିଛି । ଦୁଇ ଆଇନଜୀବୀ ଗୋଷ୍ଠୀଙ୍କ ମଧ୍ୟରେ କୌଣସି କାରଣରୁ ଉତ୍ତେଜନା ସୃଷ୍ଟି ହେବା ପରେ ଉଭୟ ଗୋଷ୍ଠୀ ମୁଁହାମୁହିଁ ହୋଇଥିଲେ । ଏଥିରେ ଫଏରିଂ (ଗୁଳିମାଡ) ମଧ୍ଯ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ଭାଇରାଲ ହୋଇଛି । କେହି ଜଣେ ଆଇନଜୀବୀ ଫାଙ୍କା ଗୁଳି ଚଳାଇ ପ୍ରତିପକ୍ଷ ଗୋଷ୍ଠୀକୁ ଭୟଭୀତ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ କୋର୍ଟ ପରିସରରେ ପହଞ୍ଚିଛି । ତଦନ୍ତ ଆରମ୍ଭ ହୋଇଛି । କୋର୍ଟ ପରିସରରେ ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।
ଭାଇରାଲ ହେଉଥିବା ଭିଡିଓ ଅନୁସାରେ, କୌଣସି ଏକ କାରଣକୁ ନେଇ ଦୁଇ ଆଇନଜୀବୀ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା । ପରେ ଉଭୟ ଗୋଷ୍ଠୀ ହାତାହାତି ପରିସ୍ଥିତିକୁ ଆସିଥିଲେ । ବେଶ କିଛି ସମୟ ଧରି କୋର୍ଟ ପରିସରରେ ଉତ୍ତେଜନା ଲାଗି ରହିଥିଲା । ପରସ୍ପରକୁ ଗାଳିଗୁଳଜ କରିବା ସହ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିଲେ ଦୁଇଗୋଷ୍ଠୀ । କେହି ଜଣେ ଆଇନଜୀବୀ ହଠାତ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚଳାନା କରିଥିଲେ । ଗୋଟିଏ ପକ୍ଷରୁ ନା ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଛି, ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନି । ଏକାଧିକ ରାଉଣ୍ଡ ଫାଏରିଂ ହୋଇଥିବା କୁହାଯାଉଥିଲେ ସୁଦ୍ଧା ପୋଲିସ ତାହା ସ୍ପଷ୍ଟ କରିନି ।