ବେଙ୍ଗାଲୁରୁ:ସହରର ଏକ ପବରେ ଲାଗିଛି ନିଆଁ । କୋରମଙ୍ଗଳା ଏରିଆରେ ଥିବା ଏହି ବହୁମହଲା ବିଶିଷ୍ଟ ପବରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ପହଞ୍ଚି ନିଆଁ ଲିଭା ଅପରେସନ ଜାରି ରଖିଛନ୍ତି । ଜୀବନ ବଞ୍ଚାଇବା ଜଣେ ଯୁବକ ଛାତରୁ ଡେଇଁ ପଡିଥିବା ମଧ୍ୟ ସୂଚନା ମିଳିଛି । ସେ ତଳେ ପଡି ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପବର କିଚେନରେ ଗ୍ୟାସ ଲିକ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, କୋରମଙ୍ଗଳା ଏରିଆରେ ଥିବା ‘ମଡ ପାଇପ୍’ନାମକ ଏକ ପବରେ ଆଜି ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । ପବରେ ଉପର ମହଲାଟି ସମ୍ପୂର୍ଣ୍ଣ ଜଳୁଥିବା ବେଳେ କେତେ ଲୋକ ଥିଲେ ସେ ନେଇ ସ୍ପଷ୍ଟ ହୋଇପାରିନାହିଁ । ଫାଏର ବ୍ରିଗେଡର ଏକାଧିକ ଟିମ ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଲାଗିଛନ୍ତି । ପୋଲିସ ଓ ମେଡିକାଲ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ରାଜ୍ୟ ଅଗ୍ନିଶମ ଏଡିଜିପି ପି ହରି ଶେଖରନ୍ ମଧ୍ୟ ଘଟଣାସ୍ଥଳରେ ରହି ଅପରେସନର ନେତୃତ୍ବ ନେଉଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଡିଜିପି ଶେଖରନ୍ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟଣା ବୋଲି ଜଣାପଡୁଛି । ପବର କିଚେନରେ ଗ୍ୟାସ ଲିକ୍ ହେବା ଫଳରେ ଅଗ୍ନିକାଣ୍ଡ ଘଟିଛି । ପରେ ନିଆଁ ବ୍ୟାପିଯିବାରୁ 4 ରୁ 5 ଟି ସିଲିଣ୍ଡରରେ ବିସ୍ଫୋରଣ ଘଟିଛି । ଏବେ ସୁଦ୍ଧା ଅପରେସନରେ 8ଟି ଅଗ୍ନିଶମ ଟିମ ନିୟୋଜିତ ରହିଛନ୍ତି । ନିଆଁକୁ ଆୟତ କରାଯାଇ ସାରିଛି । ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ।