ଲକ୍ଷ୍ନୌ: ଉତ୍ତରପ୍ରଦେଶର ପବିତ୍ର ମଥୁରା ସହରରେ ବଡ ଅଘଟଣ ଘଟିଯାଇଛି । ଏଠାରେ ଏକ ହୋଟେଲ ନିଆଁ ଲାଗିଯିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସେହି ହୋଟେଲ କର୍ମଚାରୀ(2 employees charred to death) । ଏଥିରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ମଥୁରା ସ୍ଥିତ ବୃନ୍ଦାବନର ଗାର୍ଡେନ ନାମକ ହୋଟେଲ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ହୋଟେଲର ଉପର ମହଲାରେ ଥିବା ଗୋଦାମ ଘରେ ନିଆଁ ଲାଗି ଯାଇଥିଲା । ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିଲା । ତୁରନ୍ତ ହୋଟେଲ ଭିତରେ ଥିବା ସମସ୍ତ ଲୋକଙ୍କୁ ବାହାର କରାଯାଇଥିଲା । ହେଲେ ଏହି ସମୟରେ ୩ ଜଣ କର୍ମଚାରୀ ଭିତରେ ଫସି ଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ ମଧ୍ୟ ଦୁଇ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅନ୍ୟ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିପରି ଏହି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।