ବେଙ୍ଗାଲୁରୁ: ଦୀପାବଳି ପୂର୍ବରୁ ବଡ ଅଘଟଣ । ବେଙ୍ଗାଲୁରୁରେ ଏକ ବାଣ ଗୋଦାମରେ ଅଗ୍ନିକାଣ୍ଡ ଓ ପରେ ବିସ୍ଫୋରଣ ଘଟି 12 ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆଜି ବିଳମ୍ବିତ ଅପରାହ୍ନରେ ବେଙ୍ଗାଲୁରୁ-ହସୁର ଜାତୀୟ ରାଜପଥର ଅଟ୍ଟିବିଲେ ନିକଟରେ ଥିବା ଏହି ବାଣ ଗୋଦାମରେ ବିସ୍ଫୋରଣ ହୋଇଛି । ପୋଲିସ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା 12 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସେମାନଙ୍କ ମଧ୍ୟରେ କିଛି ଗୁରୁତର ଥିବା ମଧ୍ୟ କୁହାଯାଉଛି । ତେଣୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ରହିଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଅଟ୍ଟିବିଲେ ନିକଟରେ ଜାତୀୟ ରାଜପଥ କଡରେ ଥିବା ବାଲାଜୀ କ୍ରାକର୍ସ ନାମରେ ଥିବା ଏହି ବାଣ ଗୋଦାନର ଆଜି ଅପରାହ୍ନରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଏହାର ମାଲିକାନା ନବୀନ ନାକକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ନାମରେ ଥିବା ବେଳେ ଏଥିରେ ୨୦ ଜଣ କର୍ମଚାରୀ କାମ କରୁଥିଲେ । ତେବେ ଆଜି ଏକ ଟ୍ରକରେ ବାଣ ବୋଝେଇ କରାଯାଉଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଟ୍ରକ ସହ ବାଣ ଗୋଦାମରେ ମଧ୍ୟ ନିଆଁ ବ୍ୟାପୀ ଯାଇଥିଲା ।
ସୂଚନା ପାଇ ତୁରନ୍ତ ସ୍ଥାନୀୟ ପୋଲିସ, ଫାଏର ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ଏବେ ସୁଦ୍ଧା ନିଆଁକୁ ପ୍ରାୟତଃ ଆୟତ କରାଯାଇ ସାରିଛି । ଅଗ୍ନିକାଣ୍ଡ ଘଟିବା ପରେ ୪ ଜଣ ଶ୍ରମିକ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି । ଅନ୍ୟ ୧୬ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି । ନିଆଁ ଆୟତ୍ତ କରାଯିବା ପରେ ଉଦ୍ଧାର ଅପରେସନ ଜାରି ରହିଛି ।