ଗାନ୍ଧୀନଗର:ଗୁଜୁରାଟ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି(ରବିବାର) ସକାଳେ ଅହମ୍ମଦାବାଦ ସାହିବାଗ ଅଞ୍ଚଳ ସ୍ଥିତ ୧୦ ମହଲା ବିଶିଷ୍ଟ ରାଜସ୍ଥାନ ହସ୍ପିଟାଲରେ ଏହି ନିଆଁ ଲାଗିଛି । ହସ୍ପିଟାଲରେ ବେସମେଣ୍ଟରୁ ପ୍ରବଳ ଧୂଆଁ ବାହାରୁଛି । ଏହାପରେ ୧୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ହସ୍ପିଟାଲ ବିଲ୍ଡିଂରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି । ତେବେ ଏ ଯାଏଁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନି ।
ସୂଚନା ମୁତାବକ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ରାଜସ୍ଥାନ ହସ୍ପିଟାଲର ବେସମେଣ୍ଟରେ ନିଆଁ ଲାଗି ଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ସଙ୍ଗେ ସଙ୍ଗେ ଉପର ମହଲା ଗୁଡିକରୁ ୧୦୦ରୁ ଅଧିକ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ନିଆଁ ଲାଗିବା ପରେ ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଚାରିଆଡେ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ । ନିଆଁ ଲାଗିବା ମାତ୍ରେ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବାରୁ କାହାର କିଛି କ୍ଷତି ହୋଇନି ।
ଏହାମଧ୍ୟ ପଢନ୍ତୁ: କୁଲଗାମରେ ଯବାନ ନିଖୋଜ, କାର୍ ଭିତରେ ପଡିଛି ରକ୍ତ ଛିଟା