ରାଞ୍ଚି:ଝାଡଖଣ୍ଡର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କ ମୋଡ୍ ଥାନା ଅଞ୍ଚଳ ଅନ୍ତର୍ଗତ ଟେଲିଫୋନ୍ ଏକ୍ସଚେଞ୍ଜ୍ ରୋଡରେ ଥିବା ହାଜ୍ରା କ୍ଲିନିକ୍ ଏବଂ ହସ୍ପିଟାଲରେ ଭିଷଣ ନିଆଁ ଲାଗିଯାଇଥିଲା । ଫଳରେ ଡାକ୍ତର ଦମ୍ପତିଙ୍କ ସମେତ ସମୁଦାୟ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ଡାକ୍ତର ଦମ୍ପତି ହେଲେ ବିକାଶ ହଜ୍ରା ଏବଂ ପ୍ରେମା ହାଜ୍ରା । ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତକମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଗ୍ନିକାଣ୍ଡର ଭୟାଭୟତା ଏତେ ମାତ୍ରାରେ ରହିଥିଲା ଯେ, ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ନାକେଦମ ହୋଇଥିଲେ । ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।
ସୂଚନାଅନୁସାରେ, ମୃତ ଡାକ୍ତର ଦମ୍ପତି ବିକାଶ ହାଜ୍ରା ଏବଂ ପ୍ରେମା ହାଜ୍ରା ହସ୍ପିଟାଲ ପରିସରରେ ରହୁଥିଲେ । ହସ୍ପିଟାଲ ଏବଂ ତାଙ୍କ ବାସ ଭବନକୁ ଏକ କରିଡର ସଂଯୋଗ କରୁଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ କରିଡରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ଏହି ଧୂଆଁ ଡାକ୍ତର ଦମ୍ପତିଙ୍କ ଗୃହ ମଧ୍ୟରେ ପ୍ରବେଶ କରିଥିଲା । ଫଳରେ ଦୁହେଁ ବାହାରିନପାରି ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜେରୁସାଲେମରେ ଆତତାୟୀର ଗୁଳିମାଡ, 7 ମୃତ ଏକାଧିକ ଆହତ